ଅଳିଆ ଗଦାରେ ନବଜାତକର ଶବ,ଫିଙ୍ଗିଲା କିଏ ?

ଅନୁଗୁଳ , (ବିକାଶ ଚନ୍ଦ୍ର ସାହୁ): ଆଜି ପ୍ରତ୍ୟୁଷରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ମୃତ ଶିଶୁପୁତ୍ରଟି କାହାର ଓ କିଏ ସେଠାରେ ଫୋପାଡ଼ିଛି ସେସଂପର୍କରେ କୌଣସି ସୂଚନା ମିଳିନାହିଁ। ଏପରିକି ଡାକ୍ତରଖାନା କର୍ତ୍ତୃପକ୍ଷ କିମ୍ବା ପୁଲିସ ମଧ୍ୟ ଏ ପ୍ରସଙ୍ଗରେ ମୁହଁ ଖୋଲୁ ନଥିବାରୁ ଘଟଣାଟି ସ୍ବତଃ ସଂଶୟାଚ୍ଛନ୍ନ ହୋଇପଡ଼ିଛି। 
ସୂଚନା ଅନୁସାରେ, ଗତ ରାତିରେ କୌଣସି ଗର୍ଭବତୀ ପ୍ରସବ କରିବା ପରେ ଚିକିତ୍ସାଳୟର ଚକ୍ଷୁ ବିଭାଗ ଓ ଏମ୍‌ଆରଆଇ ସେଣ୍ଟର ପଛ ପାଖ ଖୋଲାସ୍ଥାନରେ ଏକ ନବଜାତ ଶିଶୁକୁ ଫିଙ୍ଗି ଦେଇଥିଲେ। ଆଜି ସକାଳେ ଉକ୍ତ ସ୍ଥାନକୁ ଜଣେ ବୃଦ୍ଧା କୌଣସି ଏକ କାମରେ ଯାଇ ନବଜାତ ଶିଶୁ ପୁତ୍ରଟି ପଡ଼ିଥିବାର ଦେଖିଥିଲେ। ଉକ୍ତ ମହିଳା ସଙ୍ଗେ ସଙ୍ଗେ ଚିକିତ୍ସାଳୟର କାର୍ଯ୍ୟରତ ସୁରକ୍ଷା କର୍ମୀମାନଙ୍କୁ ଜଣାଇଥିଲେ। ଏହା ପ୍ରଚାରିତ ହେବା ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ପରିଜନ ସେଠାରେ ପହଞ୍ଚିବାରୁ ଭିଡ଼ ହୋଇଯାଇଥିଲା। ମୃତ ଶିଶୁଟିର ମୁହଁ, ଗୋଡ଼ ଓ ପାଦରେ କ୍ଷତଚିହ୍ନ ରହିଥିଲା। ତାର ମୁହଁ, ଆଖିକୁ ପିମ୍ପୁଡ଼ି ଖାଇ ଯାଇଥିବା ବେଳେ ଗୋଡ଼ର କିଛି ଅଂଶକୁ କୌଣସି ଜୀବ କାମୁଡ଼ିବାରୁ କ୍ଷତ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ଏଥିସହ ମୃତ ଶିଶୁ ଶରୀରରେ କିଛି କପଡ଼ା ଓ ‌କିଛି ‌ମେଡିକାଲ୍‌ର ପଲିଥିନି ବ୍ୟବହୃତ ହୋଇଥିବା ଦେଖିବାକୁ ମିଳିଥିଲା।
ତେଣୁ ମେଡିକାଲ୍‌ରେ ପିଲାଟି ଜନ୍ମ ହୋଇଥିବା ଏଥିରୁ ସ୍ପଷ୍ଟ ହେଉଛି। କୌଣସି ପ୍ରସୂତି ଯଦି ମୃତ ଶିଶୁ ଜନ୍ମ ଦେଲେ କିମ୍ବା ଜନ୍ମ ପରେ ଶିଶୁଟି ମୃତ୍ୟୁବରଣ କଲା, ତେବେ ସେ ମୃତ ନବଜାତକକୁ ସଂଗରେ ନେଇ ବିଧିବଦ୍ଧ ଭାବେ ସତ୍କାର କରିଥାନ୍ତେ। ହେଲେ ଅଳିଆଗଦାରେ ଫୋପାଡ଼ିଲେ କାହିଁକି? ଏଥିରୁ ଏହା କୌଣସି କୁଆଁରି ମା’ର  କାଣ୍ଡ ବୋଲି ସଂଦେହ ସୃଷ୍ଟି ହୋଇଛି। ହେଲେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ସତ୍ତ୍ବେ ‌େମଡିକାଲ୍‌ର କୌଣସି ପଦାଧିକାରୀ କିନ୍ତୁ ସେଠାରେ ପହଞ୍ଚି ନଥିଲେ କି ଏଥିନେଇ କୌଣସି ଗୁରୁତ୍ବ ଦେଇନଥିଲେ। ମୁଖ୍ୟ ଚିକିତ୍ସାଳୟର ସବୁଆଡ଼େ ସିସି କ୍ୟାମେରା ‌ଲାଗିଥିବାରୁ ନବଜାତକକୁ କିଏ ଆଣି ସେଠାରେ ଫୋପାଡ଼ିଲେ ସେ ସଂପର୍କରେ ସୂଚନା ମିଳିପାରନ୍ତା। ହେଲେ ଏହା ଉପରେ କୌଣସି ଖୋଳତାଡ଼ ନକରି ଚିକିତ୍ସାଳୟର ସଫେଇ କର୍ମଚାରୀମାନେ ମୃତ ଶିଶୁ ପୁତ୍ରକୁ ‌ସେଠାରୁୁ ନେଇ ପଳାଇଥିଲେ।
ଏଥିରୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଭୂମିକା ସ୍ବତଃ ସଂଦେହ ଘେରକୁ ଆସିଯାଇଛି। ଏ ସଂକ୍ରାନ୍ତରେ ଅତିରିକ୍ତ ଏଡିଏମ୍‌ଓ ଡାକ୍ତର ନନ୍ଦ କିଶୋର ସାହୁଙ୍କୁ ଯୋଗାଯୋଗ କରାଯାଇଥିଲା; କିନ୍ତୁ ସେ ଫୋନ ବାରମ୍ବାର କାଟି ଦେଇଥିଲେ। ସେହିଭଳି ସିଡିଏମ୍‌ଓ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି ମଧ୍ୟ ଫୋନ୍‌ ବନ୍ଦ କରିଦେଇଥିଲେ। ଏହି ଘଟଣାର ବିଧିବଦ୍ଧ ତଦନ୍ତ ହେଲେ ଅସଲ ଗୁମର ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚିତ ହେଉଛି।
Spread the love