ଗଜପତି ମହାରାଜ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅନୁରୋଧ ଏବଂ ଅପେକ୍ଷାକୁ ପାଳନ କରନ୍ତୁ ରାଜ୍ୟ ସରକାର :ସମୀର ମହାନ୍ତି

ଭୁବନେଶ୍ୱର : ରଥଯାତ୍ରା ଓ ଶ୍ରୀମନ୍ଦିର ପରିଚାଳନାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିଶେଷ ଭୂମିକା ରହିଛି । ଏ ଦୁଇ ଆସ୍ଥା କେନ୍ଦ୍ର ଯେଉଁ ଅନୁରୋଧ ଓ ଅପେକ୍ଷା ରଖୁଛନ୍ତି ରାଜ୍ୟ  ସରକାର ତାହାକୁ ପାଳନ କରନ୍ତୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।  ଶ୍ରୀ ମହାନ୍ତି କହିଛନ୍ତି ଯେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା  ପ୍ରସଙ୍ଗରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକ ବିସ୍ତୃତ ପତ୍ର ଲେଖିଛନ୍ତି । ଗଜପତି ମହାରାଜ ରାଜ୍ୟ ସରକାରଙ୍କୁ ଯେଉଁ ଅନୁରୋଧ କରିଛନ୍ତି ଓ ଅପେକ୍ଷା ରଖିଛନ୍ତି ରାଜ୍ୟ ସରକାର ଏହାକୁ ରକ୍ଷା କରନ୍ତୁ ଏବଂ ଏହି ଅନୁରୋଧ ଅନୁସାରେ ପଦକ୍ଷେପ ନିଅନ୍ତୁ ।

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମ ମାଧ୍ୟମରେ ରାଜ୍ୟ ସରକାରଙ୍କ ତରଫରୁ କେହି ତାଙ୍କୁ ସାକ୍ଷାତ୍ କରନ୍ତୁ ବୋଲି  ଅପେକ୍ଷା ରଖିଛନ୍ତି । ରଥଯାତ୍ରା ଓ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରସଙ୍ଗରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ କଣ କହିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ତୁରନ୍ତ ସାକ୍ଷାତ୍ କରି ତାଙ୍କ ପରାମର୍ଶ ନିଅନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Spread the love