୨୦୨୧ ଏପ୍ରିଲ୍‌ରୁ ଭାରତୀୟ ସାମରିକ ଅଧିକାରୀଙ୍କ ଅବସର ବୟସ ୧ରୁ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ: ରିପୋର୍ଟ

ପ୍ରତିରକ୍ଷା ବଳରେ ଥିବା ଅଧିକାରୀମାନଙ୍କ ଅବସର ଗ୍ରହଣ ବୟସ ୧ ରୁ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ୨୦୨୧ ଏପ୍ରିଲ୍‌ ସୁଦ୍ଧା ସାମରିକ ବ୍ୟାପାର ବିଭାଗ ଏହି ପ୍ରସ୍ତାବ ଲାଗୁ କରିବାର ସମ୍ଭାବନା ରହିଛି। ଅବସର ଗ୍ରହଣ ବୟସ ବୃଦ୍ଧି ପ୍ରସ୍ତାବ ଉପରେ ସରକାର ସକାରାତ୍ମକ ଜବାବ ପାଇବାରୁ ଏହି ଯୋଜନା କରାଯାଉଛି।

ପ୍ରସ୍ତାବିତ ଯୋଜନା ଅନୁସାରେ, କର୍ଣ୍ଣେଲ୍‌, ବ୍ରିଗେଡିୟର୍ସ ଏବଂ ମେଜର୍‌ ଜେନେରାଲ୍‌ ପାହ୍ୟା ଅଧିକାରୀ ଏବଂ ସେନା ଓ ନୌସେନାରେ ଥିବା ସେମାନଙ୍କ ସମକକ୍ଷମାନଙ୍କ ଅବସର ଗ୍ରହଣ ବୟସ ଯଥାକ୍ରମେ ତିନି, ଦୁଇ ଓ ଏକ ବର୍ଷ ବୃଦ୍ଧି କରାଯିବ। କୁଶଳୀ ମାନବଶକ୍ତି ଧରି ରଖିବାକୁ ଅବସର ଗ୍ରହଣ ବୟସ ବୃଦ୍ଧି ପ୍ରସ୍ତାବ ଦିଆଯାଇଥିଲା।
ଚାକିରି ଅବଧି ପୂରଣ ପୂର୍ବରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ପେନ୍‌ସନ୍‌ ପରିମାଣରେ ଉଲ୍ଲେଖନୀୟ କାଟ ଏବଂ ନିର୍ଦ୍ଦିଷ୍ଟ କେତେକ ବର୍ଗର ଅଧିକାରୀମାନଙ୍କ ଅବସର ଗ୍ରହଣ ବୟସ ବୃଦ୍ଧି ନିମନ୍ତେ ଏ ମାସ ପ୍ରାରମ୍ଭରେ ସାମରିକ ବ୍ୟାପାର ବିଭାଗ ପ୍ରସ୍ତାବ ଦେଇଥିଲା। ସାମରିକ ବ୍ୟାପାର ବିଭାଗର ଏହି ପ୍ରସ୍ତାବନାର ମୁଖ୍ୟ ଥିଲେ ‘ଚିଫ୍‌ ଅଫ୍ ଡିଫେନ୍‌ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ବିପିନ ରାୱତ। ସମ୍ବଳ ଓ ମାନବଶକ୍ତିର ସୁଦକ୍ଷ ଉପଯୋଗ ବାବଦରେ ସୁନିଶ୍ଚିତ ହେବା ଲାଗି ସେନାରେ ହେଉଥିବା କେତେକ ସଂସ୍କାରର ଏହା ଏକ ଅଂଶବିଶେଷ।

ପ୍ରସ୍ତାବ ଅନୁସାରେ, ଭାରତୀୟ ସେନାରେ କର୍ଣ୍ଣେଲ୍‌ ଏବଂ ତତୁଲ୍ଲ୍ୟ ପାହ୍ୟାର ଅଧିକାରୀମାନଙ୍କର ଅବସର ବୟସ ୫୪ରୁ ୫୭କୁ ବୃଦ୍ଧି କରାଯିବ। ସେହିଭଳି ଭାରତୀୟ ସେନାରେ ବ୍ରିଗ୍ରେଡିୟର୍‌ମାନଙ୍କର ଅବସର ବୟସ ୫୬ରୁ ୫୮କୁ ବୃଦ୍ଧି କରାଯିବ। ଏହାଛଡ଼ା, ମେଜର୍‌ ଜେନେରାଲ୍‌ଙ୍କ କ୍ଷେତ୍ରରେ ଅବସର ବୟସ ୫୮ରୁ ୫୯କୁ ବୃଦ୍ଧି ପାଇବ ବୋଲି ଏହି ପ୍ରସ୍ତାବରେ ଉଲ୍ଲେଖ ଅଛି।

Spread the love