ଆଜ୍‌ଲାନ୍‌ ଶାହା କପ୍‌ ଫାଇନାଲ୍‌ରେ ଭାରତ

 ଏଠାରେ ଚାଲିଥିବା 28ତମ ସୁଲ୍‌ତାନ୍‌ ଆଜ୍‌ଲାନ୍‌ ଶାହା କପ୍‌ ହକିରେ ଭାରତ ତୃତୀୟ ବିଜୟ ସହ ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି। ଏଥି ସହିତ 4 ମ୍ୟାଚ୍‌ ଖେଳିସାରିଥିବା ଭାରତ ମଧ୍ୟ ଅପରାଜେୟ ରହିଛି। 4 ମ୍ୟାଚ୍‌ରୁ 3 ବିଜୟ ଓ ଗୋଟିଏ ଅମୀମାଂସିତ ବଳରେ ସର୍ବାଧିକ 10 ପଏଣ୍ଟ୍‌ ପାଇ ଭାରତ ଶୀର୍ଷରେ ପହଞ୍ଚିଯାଇଛି। 29 ତାରିଖରେ ଭାରତ ତା’ର ପରବର୍ତୀ ମ୍ୟାଚ୍‌ ପୋଲାଣ୍ଡ୍‌ ସହ ଖେଳିବ। ଭାରତ ସହ ସମାନ 10 ପଏଣ୍ଟ୍‌ ପାଇ କୋରିଆ ଦ୍ବିତୀୟ ଦଳ ଭାବେ ଫାଇନାଲ୍‌ ଖେଳିବା ସୁନିଶ୍ଚିତ କରିଛି।
ପ୍ରଥମ ମ୍ୟାଚ୍‌ରେ ଜାପାନକୁ 2-0 ଗୋଲ୍‌ରେ ପରାସ୍ତ କରିଥିବା ଭାରତ ଦ୍ବିତୀୟ ମ୍ୟାଚ୍‌କୁ କୋରିଆ ସହ 1-1ରେ ଅମୀମାଂସିତ ରଖିଥିଲା। ଏହାପରେ ଆୟୋଜକ ମା‌ଲେସିଆକୁ 4-2ରେ ପରାସ୍ତ କରିଥିବା ଭାରତ ବୁଧବାର ଚତୁର୍ଥ ମ୍ୟାଚ୍‌ରେ କାନାଡାକୁ ଭେଟିଥିଲା। ତେବେ ମନ୍‌ଦୀପ୍‌ ସିଂହଙ୍କ ହ୍ୟାଟ୍ରିକ୍ ବଳରେ ଭାରତ 7-3 ଗୋଲ୍‌ରେ କାନାଡାକୁ ପରାସ୍ତ କରିଦେଇଛି। ଅଧିକ ଗୋଲ୍‌ ସ୍କୋର୍‌ ବିଶିଷ୍ଟ ଏହି ମ୍ୟାଚ୍‌ରେ ବରୁଣ କୁମାର ଦ୍ବାଦଶ ମିନିଟ୍‌ରେ ଭାରତ ପାଇଁ ପ୍ରଥମ ଗୋଲ୍‌ କରିବା‌ ପରେ ମନ୍‌ଦୀପ୍‌ଙ୍କ ଯାଦୁ ଦେଖିବାକୁ ମିଳିଥିଲା। ମନ୍‌ଦୀପ୍‌ 20,27, 29ମିନିଟ୍‌ରେ ଲଗାତାର ୩ ଗୋଲ୍‌ କରି ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଏଥି ସହିତ ମନ୍‌ଦୀପ୍‌ ମଧ୍ୟାନ୍ତର ବେଳକୁ ଭାରତକୁ 4-0ର ଅଗ୍ରଣୀ ମଧ୍ୟ ଦେଇଥିଲେ।

ଏହାପରେ ଦଳର ଓଡ଼ିଆ ଖେଳାଳି ଅମିତ୍‌ ରୋହିଦାସ (39 ମିନିଟ୍‌) ଭାରତ ପାଇଁ ପଞ୍ଚମ ଗୋଲ୍‌ ଦେଇଥିଲେ। ଉଭୟ ବରୁଣ କୁମାର ଓ ଅମିତ୍‌ ରୋହିଦାସ ପେନାଲ୍‌ଟି କର୍ନରରୁ ଚମତ୍କାର ଗୋଲ୍‌ କରିଥିଲେ। ଶେଷରେ ଯୁବ ତାରକା ବିବେକ ସାଗର ପ୍ରସାଦ (55 ମିନିଟ୍‌) ଓ ନୀଳକଣ୍ଠ ଶର୍ମା (58 ମିନିଟ୍‌) ଆଉ ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିବାରୁ ଭାରତ 7-3 ବ୍ୟବଧାନରେ ବିଜୟୀ ହୋଇଥିଲା। କାନାଡା ପକ୍ଷରୁ ମାର୍କ ପିଅରସନ୍‌ (35 ମିନିଟ୍‌), ଫିନ୍‌ ବୁଥ୍‌ରୋୟଡ୍‌ (50 ମିନିଟ୍‌) ଓ ଜେମ୍‌ସ ୱାଲେସ୍‌ (57 ମିନିଟ୍‌) ଗୋଲ୍‌ ତିନିଟି କରିଥିଲେ ମଧ୍ୟ ପରାଜୟରୁ ବର୍ତିବା ପାଇଁ ଯଥେଷ୍ଟ ହୋଇନଥିଲା। ହ୍ୟାଟ୍ରିକ୍‌ ଅର୍ଜନ କରିଥିବା ମନ୍‌ଦୀପ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସୂଚନାଯୋଗ୍ୟ, ଏହା ପୂର୍ବରୁ ଭୁବନେଶ୍ବର ପୁରୁଷ ହକି ବିଶ୍ବକପ୍‌ ଗ୍ରୁପ୍‌ ପର୍ଯ୍ୟାୟରେ ମଧ୍ୟ ଉଭୟ ଭାରତ ଓ କାନାଡା ମୁହାଁମୁହିଁ ହୋଇଥିଲେ। ଆଉ ସେହି ମୁକାବିଲାରେ କାନାଡାକୁ ମଧ୍ୟ ଭାରତ 5-1 ଗୋଲ୍‌ରେ ପରାସ୍ତ କରିଥିଲା।

Spread the love