ଚାଇନା ଓ ଆମେରିକା ଚାହାନ୍ତି ଭାରତରେ ସ୍ଥାୟୀ ସରକାର, ନିର୍ବାଚନ ଉପରେ ତିକ୍ଷ୍ଣ ନଜର

ଆଗକୁ ଭାରତରେ ହେବ ଲୋକ ସଭା ନିର୍ବାଚନ। ନିର୍ବାଚନ ଉପରେ ଆମେରିକା, ଚାଇନା ସହିତ ପାକିସ୍ତାନର ନଜର ରହିଛି। ଭାରତରେ କିଭଳି ସରକାର ସ୍ଥାପିତ ହେବ ସେ ନେଇ ଏହି 3 ଦେଶ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ବାଣିଜ୍ୟ ଦୃଷ୍ଟିରୁ  ଏହି ତିନିଦେଶ ଭାରତରେ ସ୍ଥାୟୀ ସରକାର ଚାହାନ୍ତି । ଭାରତ ଦକ୍ଷିଣ ଏସିଆର ଏକ ବୃହତ ବଜାର ଭାବେ ଉଭା ହୋଇଛି। ବିଶ୍ୱ ବ୍ୟାଙ୍କ ଅନୁସାରେ 2025 ବେଳକୁ ଭାରତ ପୃଥିବୀର ତୃତୀୟ ବୃହତମ ବଜାରର ମାନ୍ୟତା ହାସଲ କରିବ। ଆମେରିକା, ଚାଇନା ଓ ପାକିସ୍ତାନ ଭାରତ ସହିତ କାରବାର କରି ବେଶ୍‌ ଲାଭ ସାଉଁଟିଥାନ୍ତି। ତେଣୁ ଭାରତରେ ସ୍ଥିର ସରକାର ହେଲେ କାରବାର ସହିତ ଅନ୍ୟ ଦ୍ୱିପାକ୍ଷିକ ସମସ୍ୟାର ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପର ସମ୍ଭାବନା ରହିବ। ପାକିସ୍ତାନ ଭାରତ ସହିତ ଉତ୍ତେଜନା ମୂଳକ ସ୍ଥିତି ଉତ୍ପନ୍ନ ହୋଇଥିଲେ ମଧ୍ୟ 2016-17 ରେ ଦୁଇ ଦେଶ ମଧ୍ୟରେ 1821 ନିୟୁତ ଡଲାରର କାରବାର ହୋଇଥିଲା।

2006 ଠାରୁ 2017 ମଧ୍ୟରେ 2013-14 ରେ ଦୁଇ ଦେଶ ମଧ୍ୟରେ ସର୍ବାଧିକ 2274  ନିୟୁତ ଡଲାରର କାରବାର ହୋଇଛି। ଏହି ସମୟ ମଧ୍ୟରେ ଭାରତ ପାକିସ୍ତାନରୁ 427 ନିୟୁତ ଡଲାର ଆମଦାନୀ କରିଛି। ଦୁଇ ଦେଶ ମଧ୍ୟରେ ପ୍ଲାଷ୍ଟିକ୍‌, ଡାଏ, କଟନ, ଅର୍ଗାନିକ୍‌ କେମିକାଲସ୍‌, ତେଲ, ନ୍ୟୁକ୍ଲିୟର ରିଆକ୍ଟର, ଖାଦ୍ୟ ସାମଗ୍ରୀ ଆଦି ରହିଛି। ଚାଇନା ଭାରତ ମଧ୍ୟରେ 4 ହଜାର 56 କିଲୋମିଟରର ଅନ୍ତର୍ଜାତୀୟ ସୀମା ରେଖା ରହିଛି। ଏହା ଜମ୍ମୁ-କଶ୍ମୀରଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ପରିବ୍ୟାପ୍ତ। ବିଭିନ୍ନ ଅନ୍ତର୍ଜାତୀୟ ସମସ୍ୟା ସତ୍ତ୍ୱେ 2018 ରେ ଦୁଇଦେଶ ମଧ୍ୟରେ 2017 ତୁଳନାରେ ଅଧିକ କାରବାର ହୋଇଛି। ଏହି ସମୟ ମଧ୍ୟରେ ଭାରତ ଚାଇନାକୁ 18.1584 ବିଲିୟନ୍‌ ଡଲାରର ରପ୍ତାନୀ କରିଥିଲା।

ସେହିପରି ଭାରତ ଆମେରିକା ପାଇଁ ପ୍ରତିରକ୍ଷା ଠାରୁ ଆରମ୍ଭ କରି ଆଇଟି ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଏକ ବଡ଼ ବଜାର ପାଲଟିଛି। ଗତ 5 ବର୍ଷ ମଧ୍ୟରେ ଏଥିପାଇଁ ଆମେରିକା ଭାରତର ନିକଟତର ହେବାରେ ଲାଗିଛି। ଭାରତର ନୂଆ ସରକାର ଗଠନ ନେଇ ଏହି 3 ଦେଶ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଥିବା ସମୀକ୍ଷକ ମତ ଦେଇଛନ୍ତି।

Spread the love