ଭାରତକୁ କରୋନା ମୁକ୍ତ କରିବା ଲାଗି ରାଜ୍ୟର ସମସ୍ତ ଜନତା ନିର୍ଭୟରେ ଟୀକା ନିଅନ୍ତୁ: ସମୀର ମହାନ୍ତି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲଠାରେ କୋଭିଡ-୧୯ ଟୀକାର ପ୍ରଥମ ଡୋଜ ନେଇଛନ୍ତି । ମାଗଣାରେ କିପରି ଦେଶର ସମସ୍ତ ଜନତା କୋଭିଡ ଟୀକା ନେବେ ସେ ନେଇ ମଧ୍ୟ ଭାରତ ସରକାର ବ୍ୟବସ୍ଥା କରିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ସ୍ୱଦେଶୀ କୋଭିଡ ଟୀକା ନେଇ ଡାକ୍ତର, ନର୍ସ, ବୈଜ୍ଞାନିକଙ୍କ ସମେତ ଦେଶବାସୀଙ୍କୁ ଉତ୍ସାହିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଆତ୍ମନିର୍ଭର ଭାରତ ଗଠନ ଦିଗରେ ଅନୁପ୍ରାଣିତ ହୋଇ ଭାରତୀୟ ବୈଜ୍ଞାନିକମାନେ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ କୋଭାକ୍ସିନ କରୋନା ଟୀକାର ବିକାଶ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଗ ଧାଡିର କରୋନା ଯୋଦ୍ଧାମାନଙ୍କୁ ଟୀକାକରଣ କରାଯାଇଥିଲା । କରୋନା ଯୋଦ୍ଧାଙ୍କୁ ଟୀକାକରଣ ପରେ ଆଜିଠୁ ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡିତ ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟୀକାକରଣ କରାଯାଇଛି । ଆଗାମୀ ଦିନରେ ଭାରତକୁ କରୋନା ମୁକ୍ତ କରିବା ଲାଗି ରାଜ୍ୟର ସମସ୍ତ ଜନତା ନିର୍ଭୟରେ ଟୀକା ନେବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି । କରୋନା ମହାମାରୀ ବିରୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ଓ ସମୟୋପଯୋଗୀ ପଦକ୍ଷେପକୁ ଜାତିସଂଘ ସମେତ ବିଭିନ୍ନ ଦେଶ ପ୍ରଶଂସା କରିଛନ୍ତି । କରୋନା ସମୟରେ ଯେପରି ଆମେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ମାନି ବିଭିନ୍ନ ନିୟମକୁ ପାଳନ କରିଥିଲେ ଠିକ୍ ସେହିପରି ଆମେ ଟୀକାକରଣକୁ ନେଇ ମନରେ କୌଣସି ଆଶଙ୍କା ନରଖି ଟୀକା ନେବା ପାଇଁ ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ।

Spread the love