ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ବରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଜାଗର ଯାତ୍ରା । ମହାଶିବରାତ୍ରୀ ଅବସରରେ ଚଳିତ ବର୍ଷ ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ନିର୍ଦ୍ଧାରଣ କରାଯାଇଛି । ଚଳିତ ଥର କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନେ ଜାଗର ଜାଳିବା ନେଇ କୁହାଯାଇଛି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଜାଗର ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରର ୩ ସେବାୟତ ନିଯୋଗଙ୍କ ସହ ପୋଲିସ ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ କଟକଣା ସହ ଶାନ୍ତି ଶୃଙ୍ଖଳାରେ ଭକ୍ତ କିଭଳି ଦର୍ଶନ କରିବେ ସେ ନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଛି । କୋଭିଡ୍ ନିୟମ ପାଳନ କରି ଭକ୍ତମାନେ ଦୀପ ଜଳିବେ । ପୋଲିସ ଫୋର୍ସ ମୁତୟନ ସାଙ୍ଗକୁ ଟ୍ରାଫିକ୍ ବ୍ୟବସ୍ଥା ନେଇ ଆଲୋଚନା ମଧ୍ୟ ହୋଇଛି ।

ରାତି ୧୦ଟା ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁମାନେ କିଭଳି ମନ୍ଦିରରୁ ବାହାରି ଯିବେ ସେ ନେଇ ବିଶେଷ ଧ୍ୟାନ ଦିଆଯିବ । ଦୀପ ଜାଳିବା ପାଇଁ ଭକ୍ତମାନେ ଯେଭଳି ଏକତ୍ରିତ ହୋଇ ବସିବେ ନାହିଁ ତାହାକୁ ଧ୍ୟାନ ଦିଆଯିବ । ବୈଠକରେ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ସେବାୟତ ଓ ୩ ନିଯୋଗ ଉପସ୍ଥିତ ଥିଲେ ।

Spread the love