କଂଗ୍ରେସକୁ ବଡ ଝଟକା, ଦଳ ଛାଡିଲେ ବଲାଙ୍ଗୀର ର 9 ନେତା

ନିର୍ବାଚନୀ ମାହୋଲରେ କଂଗ୍ରେସକୁ ଲାଗିଛି ଝଟକା । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ବିରୋଧ କରି ବଲାଙ୍ଗୀର ଜିଲ୍ଲାର 9 ଜଣ କଂଗ୍ରେସ ନେତା ଓ କର୍ମକର୍ତ୍ତା ଦଳରୁ ଇସ୍ତଫା ଦେଇଛନ୍ତି। ସ୍ଥାନୀୟ ସାମ୍ବାଦିକ ଭବନଠାରେ ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏ ନେଇ ବିଧିବଦ୍ଧ ସୂଚନା ଦିଆଯାଇଛି। ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ବଗର୍ତ୍ତୀ, ଏଆଇସିସି ସଦସ୍ୟ ଓ ପିସିସି ସାଧାରଣ ସମ୍ପାଦକ ଲକ୍ଷ୍ମଣ କୁମାର ମେହେର, ଦେଓଗାଁ ବ୍ଳକ୍‌ ଅଧ୍ୟକ୍ଷା ରୀନା ମେହେର, ପୂର୍ବତନ ନଗରପାଳ ତଥା କଂଗ୍ରେସ ଓବିସି ସେଲ ଅଧ୍ୟକ୍ଷ ପ୍ରଦୀପ ସାହୁ, ଜିଲ୍ଲା କଂଗ୍ରେସ ଲିଗାଲ ସେଲ ପୂର୍ବତନ ଅଧ୍ୟକ୍ଷ ପ୍ରବୀଣ ମିଶ୍ର,  ଜିଲ୍ଲା କଂଗ୍ରେସ କମିଟି ପୂର୍ବତନ ଉପସଭାପତି ରାଧାକାନ୍ତ ନାୟକ, ଦେଓଗାଁ ବ୍ଳକ୍‌ ପୂର୍ବତନ ଉପାଧ୍ୟକ୍ଷ ଜନ୍ମେଜୟ ସାହୁ, ଲୋଇସିଂହା ବ୍ଳକ୍‌ କଂଗ୍ରେସ ପୂର୍ବତନ ସଭାପତି ମହେନ୍ଦ୍ର ଜାଲ ଓ ପ୍ରଦ୍ୟୁମ୍ନ ମିଶ୍ର କଂଗ୍ରେସ ଛାଡ଼ିଥିବା ସୂଚନା ଦେଇଛନ୍ତି।

କଂଗ୍ରେସରେ ନରସିଂହଙ୍କ ଏକତରଫା ନୀତି ଓ ନିଜ ପୁତ୍ର ସମରେନ୍ଦ୍ର ମିିଶ୍ରଙ୍କୁ କଂଗ୍ରେସ ଲୋକ ସଭା ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହ ଦେଖାଦେଇଛି। ଫଳରେ ସେମାନେ ବାଧ୍ୟହୋଇ ଦଳ ଛାଡିଛନ୍ତି ବୋଲି ବଗର୍ତ୍ତୀ କହିଛନ୍ତି। ଏହି ସମ୍ମିଳନୀରେ ଲକ୍ଷ୍ମଣ ମେହେର ନରସିଂହଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିତିରି ସମ୍ପର୍କ ରଖିଥିବା ସଙ୍ଗିନ ଅଭିଯୋଗ ଆଣିଥିଲେ। କଂଗ୍ରେସ ଦଳରୁ 9 ବରିଷ୍ଠ କାର୍ଯ୍ୟକର୍ତ୍ତା ଇସ୍ତଫା ଦେବା ପରେ ବଲାଙ୍ଗୀରରେ ନିର୍ବାଚନୀ ମାହୋଲ ସରଗରମ ହୋଇଉଠିଛି।

Spread the love