ବିଜେଡି ପ୍ରାର୍ଥୀ ହେବା ପରେ ବାପାଙ୍କ ଅଧୁରା ସ୍ଵପ୍ନ ପୂରଣ କରିବି : ରୁଦ୍ର ମହାରଥୀ

ପିପିଲି ଉପ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ। ଗତକାଲି ବିଜେପି ପରେ ଶୁକ୍ରବାର ଶାସକ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। ଦଳ ସମସ୍ତ କଳ୍ପନା କଳ୍ପନାର ଅବସାନ ଘଟାଇ ସ୍ଵର୍ଗତଃ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରାର୍ଥୀ ଘୋଷଣା ହେବା ପରେ ରୁଦ୍ର ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ। ଏବେ ବାପାଙ୍କ ଅଧୁରା ସ୍ଵପ୍ନ ପୂରଣ କରିବି। ପିପିଲି ଓ ଡେଲାଙ୍ଗବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବି। ଆଶା କରୁଛି ପିପିଲି ଓ ଡେଲାଙ୍ଗବାସୀ ମୋତେ ସହଯୋଗ କରିବେ। ସେ କହିଛନ୍ତି ଯେ, ମୁଁ ଟିକେଟ୍ ପାଇବା  ଯାହା ମା ପାଇବା ସେୟା। ମାଙ୍କ ସହଯୋଗ ସର୍ବଦା ମୋ ପାଖରେ ଅଛି ବୋଲି ରୁଦ୍ର କହିଛନ୍ତି।

ସୂଚନଯୋଗ୍ୟ, ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ଗତ ୨୦୧୯ ନିର୍ବାଚନରେ ସ୍ଵର୍ଗତଃ ପ୍ରଦୀପ ମହାରଥୀ ଏବଂ ଆଶ୍ରିତଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା। ଏଥର ମହାରଥୀଙ୍କ ପୁତ୍ର ରୁଦ୍ର ଏବଂ ଆଶ୍ରିତଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦିତା ହେବାର ଆଶା କରାଯାଉଛି।

୨୦୧୯ ନିର୍ବାଚନରେ ଏହି ଆସନରେ ଶାସକ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିଥିଲା। ମହାରଥୀଙ୍କୁ ୮୮, ୫୧୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୧, ୭୩୧ ଭୋଟ୍ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ମାତ୍ର ୯,୮୩୦  ଭୋଟ୍ ସାଉଁଟିବାରେ ସକ୍ଷମ ହୋଇଥିଲେ।

ପିପିଲି ବିଧାନସଭା ମଣ୍ଡଳ ବିଜେଡିର ଗଡ ଭାବେ ପରିଚିତ। ୨୦୦୦ ମସିହା ପରଠୁ ଅର୍ଥାତ ବିଜେଡି ଦଳ ଗଠନ ଦିନଠୁ ଏହି ଆସନରେ ଦଳର ଦବଦବା ରହି ଆସିଛି। ପ୍ରଦୀପ ମହାରଥୀ କ୍ରମାଗତ ପାଞ୍ଚ ଥର ପିପିଲିରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମହାରଥୀଙ୍କ ଯୋଗୁଁ ପିପିଲି ବିରୋଧୀ ବିଜେପି ଓ କଂଗ୍ରେସ ପାଇଁ ଏ ଯାଏଁ ଅଭେଦ୍ୟ ଦୁର୍ଗ ପାଲଟିଛି। ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ମହାରଥୀ ବିଜୟ ହାସଲ କରିଥିଲେ। ତେବେ ପ୍ରଥମ ଥର ବିଜେଡି ମହାରଥୀଙ୍କ ବିନା ମଇଦାନକୁ ଓହ୍ଲାଇବ।

Spread the love