ବିଜ୍ଞାପନ ପ୍ରସାରଣକୁ ନେଇ ଟିଭି ଚ୍ୟାନେଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଏକ ଟିଭି ଚ୍ୟାନେଲରେ ବିଜ୍ଞାପନ ପ୍ରସାରଣକୁ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ  କାର୍ଯ୍ୟାନୁଷ୍ଠାନ  ଦାବି କରିଛି ବିଜେପି। ପ୍ରକାଶ  ଥାଉକି,  ଆର୍ଦଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବି କଳିଙ୍ଗ ଟିଭିରେ ସରକାରୀ ବିଜ୍ଞାପନ ବାରମ୍ବାର ପ୍ରସାରଣ ହେଉଛି। ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କଳିଙ୍ଗ ଟିଭି ଚ୍ୟାନେଲର ନିର୍ଦ୍ଦେଶକ ଓ ସମ୍ପାଦକଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି।

ବିଜେପି ଅଭିଯୋଗ କରିଛି ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଟିଭି ଚ୍ୟାନେଲରେ କୌଣସି ସରକାରୀ ବିଜ୍ଞାପନ ପ୍ରସାରଣ ହେବା କଥା ନୁହେଁ। କିନ୍ତୁ ଦୀର୍ଘ ୩ ମାସ ଆଗରୁ ଚାଲୁଥିବା ରାଜ୍ୟ ସରକାରଙ୍କର ମିଶନ ଶକ୍ତି ବିଜ୍ଞାପନକୁ କନ୍ଧମାଳର ବିଜେଡି ସାଂସଦ ପ୍ରାର୍ଥୀ ହୋଇଥିବା ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଟିଭି ଚ୍ୟାନେଲ ‘କଳିଙ୍ଗ ଟିଭି’ରେ ବାରମ୍ବାର ପ୍ରସାରଣ ହେଉଛି। ଏହା ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛି। ଦଳ ପକ୍ଷରୁ ଆହୁରି କୁହାଯାଇଛି ଯେ, ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିୟମ ୫୦୯/୭୫/୨୦୦୪/ଜିଏସକୁ ଅବମାନନା କରି ସମ୍ପୃକ୍ତ ଟିଭି ଚ୍ୟାନେଲ ଲଗାତାର ଭାବରେ ମିଶନ ଶକ୍ତି ଗୀତର ଅଡିଓ ଏବଂ ଭିଡିଓକୁ ପ୍ରସାରଣ କରୁଛି।

ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଦଳର ପ୍ରଚାର କରି ଏହି ଟିଭି ଚ୍ୟାନେଲ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିବା ସହ ସୁପ୍ରିମକୋର୍ଟ ଟିଭି ଚ୍ୟାନେଲଗୁଡ଼ିକରେ ରାଜନୀତି ସର୍ମ୍ପକିତ ଖବର ପ୍ରସାରଣକୁ ନେଇ ୨୦୧୪ ଏପ୍ରିଲ ୧୩ ତାରିଖରେ ଦେଇଥିବା ଆଦେଶକୁ ମଧ୍ୟ ଅମାନ୍ୟ କରୁଛି। ଏହି ଘଟଣାର ଯଥାର୍ଥ ତଦନ୍ତ କରିବା ସହ କନ୍ଧମାଳର ବିଜେଡି ସାଂସଦ ପ୍ରାର୍ଥୀ,ସମ୍ପୃକ୍ତ ଘରୋଇ ଟିଭି ଚ୍ୟାନେଲର ସଂପାଦକ ଏବଂ ପରିଚାଳକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେପି ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଜୀବନ ସାହୁ ଏବଂ ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

Spread the love