ବାଚସ୍ପତି ବିଧାନସଭାର ଗାରିମା ରକ୍ଷା କରିବା ପାଇଁ ନୁହେଁ ଦଳୀୟ ଆଭିମୁଖ୍ୟର କାମ କରୁଛନ୍ତି:ପ୍ରଦୀପ୍ତ ନାଏକ

ଭୁବନେଶ୍ୱର, ୪/୦୪: ବିଧାନସଭାରେ ବିଧେୟକ ପାରିତ ହେବା ସମୟରେ ସାଧାରଣ ବିଧାୟକର କହିବାର ଅଧିକାର ରହିଛି । କିନ୍ତୁ ୨ଟି ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭା ଗୃହରେ ଛିଡା ହେବା ପରେ ମଧ୍ୟ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେଲେ ନାହିଁ । ଏଥିପାଇଁ ବିଜେପି ବିଧାୟକ ମାନେ ମର୍ମାହତ ହୋଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉଦ୍ୟମ କରିଥିଲେ । ଶାସକ ଦଳ ଇଙ୍ଗିତରେ ବାଚସ୍ପତି ନିଜେ ଭୃଲ୍ କରିବା ପରେ ବିଜେପିର ୩ ଜଣ ବିଧାୟକଙ୍କୁ ନିଲମ୍ବନ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହା ପରେ ବିଧାନସଭା ସମ୍ମୁଖରେ ଥିବା ଗାନ୍ଧୀ ମୂର୍ତି ତଳେ ବିଜେପି ବିଧାୟକମାନେ ଅହରାତ୍ର ଧାରଣା ଦେବା ପରେ ରାଜ୍ୟ ସହ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମର ବିଧାୟକମାନଙ୍କୁ ଧାରଣା ସ୍ଥଳରୁ ଉଠାଇ ଓଡିଶାବାସୀଙ୍କ ଆଗରେ ବାର୍ତା ରଖିବା ପାଇଁ ଅନୁରୋଧ କରିଥିଲେ । ବାଚସ୍ପତି ବିଜେଡି ଦଳର ପ୍ରରୋଚନାରେ ବିରୋଧୀଙ୍କୁ ଖେଳନା ବୋଲି ଭାବୁଛନ୍ତି । ବିନା ବିରୋଧୀ ଦଳ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରୁଥିବା ସମୟରେ ବିଜେପି ରାଜ୍ୟବାସୀଙ୍କ ହିତରେ ପ୍ରତିବାଦ କରିଥିଲା । ବିଜେପି ବିଧାୟକମାନେ ବିଲ୍ ସଂପର୍କରେ ମତ ରଖିବା ପାଇଁ ଅନୁମତି ମାଗିଥିଲେ ମଧ୍ୟ ବାଚସ୍ପତି ବିରୋଧ ଦଳର ବିଧାୟକମାନଙ୍କ କଗଥାକୁ କର୍ଣ୍ଣପାତ କରିନଥିଲେ ।
ଚଳିତ ବିଧାନସଭା ଅଧିବେଶନରେ ବାଚସ୍ପତି ନିରପେକ୍ଷତା ନୁହେଁ ବରଂ ଶାସକ ବିଜେଡିର ସଦସ୍ୟ ଭଳି ବ୍ୟବହାର ପ୍ରଦର୍ଶନ କରିଥିଲେ । ବାଚସ୍ପତି ବିଧାନସଭାର ଗାରିମା ରକ୍ଷା କରିବା ପାଇଁ ନୁହେଁ ଦଳୀୟ ଆଭିମୁଖ୍ୟର କାମ କରୁଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି ।
ଖୋଦ୍ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନଆସି ନିଜ ଦଳୀୟ କାର୍ଯ୍ୟକ୍ରମରେ କଟକ, କଳାହାଣ୍ଡି, ସୁନ୍ଦରଗଡ ଗସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଅପମାନିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେବା ସତ୍ୱେ ମଣ୍ଡିରୁ ଧାନ ଉଠିଲା ନାହିଁ । ଓଡିଶାର ଚାଷୀ ଭାଇଙ୍କ ସ୍ୱାର୍ଥ ପାଇଁ ବିଧାୟକ ସୁବାଷ ପାଣିଗ୍ରାହୀ ପ୍ରତିବାଦ କରିବା କଣ ଭୃଲ୍‌? ନିଜ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଶାସକ ଦଳ ବିଧାୟକମାନେ ୫ ଦିନ ଧରି ବିଧାନସଭାକୁ ଅଚଳ କରିଦେଲେ । ପରବର୍ତୀ ସମୟରେ ବାଚସ୍ପତି ଗୃହ ବାହାରେ ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି କହି ଶାସକ ଦଳ ନେତା ଭାବେ ରାଜନୈତିକ ବୟାନ ଦେଇ ନିଜର ଗାରିମାକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ଶ୍ରୀ ନାଏକ କହିଛନ୍ତି ।
ଆଜି ସଂଧ୍ୟାରେ ବିଜେପି ବିଧାୟକମାନେ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରି ବିଧାନସଭା ଓ ବାଚସ୍ପତିଙ୍କ ଦଳୀୟ ଆଭିମୁଖ୍ୟର କାର୍ଯ୍ୟଧାରା ଉପରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିବୁ ବୋଲି ଶ୍ରୀ ନାଏକ କହିଛନ୍ତି । ସମସ୍ତ ପଂରପଂରାକୁ ଜଳାଞ୍ଜଳୀ ଦେଇ ବାଚସ୍ପତି ଯେପରି କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ବିଗତ ଦିନରେ ପରୀ ହତ୍ୟାକାଣ୍ଡ ଆଲୋଚନା ନକରିବା ପାଇଁ ଶାସକ ଦଳ ୧ ମାସ ପୂର୍ବରୁ ବିଧାନସଭାକୁ ମୁଲତବୀ କରିଥିଲେ । ଏବେ ଖଣି ପ୍ରସଙ୍ଗ ଉଠିବା ବେଳେ ଶାସକ ଦଳ ଆଲୋଚନା କଲାନାହିଁ । ବାଚସ୍ପତି ବିଭିନ୍ନ ସମୟରେ ଶାସକ ଦଳ ଇସାରାରେ କାମ କରିବା ଦୁର୍ଭାଗ୍ୟଜନକ
ବୋଲି ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି । ରାଜ୍ୟବାସୀଙ୍କ ସମସ୍ୟା ଯଥା ଚାଷୀ, ମହିଳା ସୁରକ୍ଷା,ସୀମା ବିବାଦ, ଆଇନ ଶୃଙ୍ଖଳା,ବାଲି, ପଥର ଓ ଖଣି ଖାଦାନର ଦୁର୍ନୀତି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବା ପାଇଁ ବିଜେପି ସର୍ବଦା ବଦ୍ଧ ପରିକର । ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ବିଜେପି ସର୍ବଦା ଲଢେଇ ଜାରି ରଖିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ କେ. ନାରାୟଣ ରାଓ, ନାଉରୀ ନାଏକ, ସୁବାଷ ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ମୁକେଶ ମହାଲିଙ୍ଗ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ବିଧାୟିକା କୁସୁମ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love