୮ ତାରିଖରୁ ରାଜ୍ୟରେ ନବମ ଓ ଏକା‌ଦଶ ଶ୍ରେଣୀ କ୍ଲାସ୍‌ ବାତିଲ, କରୋନା ସଂକ୍ରମଣ ବ୍ୟାପିବା ଲାଗି ନିଷ୍ପତ୍ତି

ବିଦ୍ୟାଳୟରେ ପାଠପଢ଼ା ନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବ୍ୟାପି ଚାଲିଥିବାରୁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଚାଲୁଥିବା ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ାକୁ ସରକାର ବାତିଲ କରିଦେଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏପ୍ରିଲ ୮ ତାରିଖରୁ ରାଜ୍ୟରେ ୯ମ ଓ ଏକାଦଶ ଶ୍ରେଣୀ ପାଇଁ ଅଫ୍‌ଲାଇନ୍‌ରେ ପାଠପଢ଼ା ହେବ ନାହିଁ। ଏପ୍ରିଲ ୩୦ ଯାଏଁ ଏହି ନିଷ୍ପତ୍ତି ଲାଗୁ ରହିବ। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ତୁରନ୍ତ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି। ୧୦ମ ଓ ଦ୍ବାଦଶ ଶ୍ରେଣୀ ପାଇଁ କ୍ଲାସ ଏପ୍ରିଲ ୨୫ ଯାଏଁ ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୮ ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିଥିଲା। ଏହା ପୂର୍ବରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ଜାନୁଆରି ଠାରୁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିଲା। କରୋନା କଟକଣାରେ ସ୍କୁଲ ଖୋଲିଥିବାରୁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ମାର୍ଗଦର୍ଶିକା ଜାରି କରିଥିଲେ।
ଅନ୍ୟପକ୍ଷରେ ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି କରୋନା | ଲଗାତାର କିଛି ଦିନର ତଥ୍ୟକୁ ଅନୁଶୀଳନ କଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାର ଦେଖିବାକୁ ମିଳିଛି | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି | ସୁନ୍ଦରଗଡରେ ୧୪୭ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ୧୧୮ ଜଣ, ଅନୁଗୁଳରେ ୧୭ ଜଣ, ବାଲେଶ୍ୱରରେ ୦୬ ଜଣ, ବରଗଡ଼ରେ ୪୮ ଜଣ, ଭଦ୍ରକରେ ୧୦ ଜଣ, ବଲାଙ୍ଗୀରରେ ୧୪ ଜଣ, କଟକରେ ୪୬ ଜଣ, ବୌଦ୍ଧରେ ୨ ଜଣ, ଢେଙ୍କାନାଳରେ ୩ ଜଣ ଓ ଜଗତସିଂହପୁରରେ ୯ ଜଣ ଚିହ୍ନଟ ହୋଇଛନ୍ତି |

Spread the love