ଏପ୍ରିଲ ଦ୍ଵିତୀୟ ସପ୍ତାହ ଶେଷ ପର୍ଯ୍ୟନ୍ତ ନୟାନ୍ତ କରିବ ତାତି; ସାମୟିକ ଆଶ୍ୱସ୍ତି ଆଣିବ କାଳବୈଶାଖୀ

ରାଜ୍ୟକୁ ପୁଣି ଫେରିବ ତାତି। ଅସହ୍ୟ ତାତି ଓ ଗ୍ରୀଷ୍ମପ୍ରବାହରେ ଆଉଟୁପାଉଟୁ ହେବେ ରାଜ୍ୟବାସୀ। ଆଜି (ବୁଧବାର)ଠାରୁ ଅପ୍ରେଲ ଦ୍ୱିତୀୟ ସପ୍ତାହ ଶେଷ ପର୍ଯ୍ୟନ୍ତ ପ୍ରଚଣ୍ଡ ରୌଦ୍ରତାପରେ ଜଳିବ ଓଡ଼ିଶା। ରାଜ୍ୟର ତାପମାତ୍ରା ପ୍ରାୟ ୩-୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଏବଂ ଅତ୍ୟଧିକ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯିବ।
ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା ଠାରୁ ଉପରେ ରହିବ। ଏହି ସମୟରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାରେ ବାହାରକୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଏହି ସମୟ ମଧ୍ୟରେ ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ରାଜ୍ୟବାସୀଙ୍କୁ ଅସହ୍ୟ ତାତିରୁ ସାମୟିକ ଆଶ୍ୱସ୍ତି ଦେଇପାରେ ବୋଲି କହିଛି ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୮ ତାରିଖ ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଗଞ୍ଜାମ, କନ୍ଧମାଳ ଓ ମାଲକାନଗିରିରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷାର ସମ୍ଭାବନା ରହିଛି।
ସେହିପରି ୯ ତାରିଖ ଦିନ ମଧ୍ୟ ରାଜ୍ୟର ୧୧ ଜିଲ୍ଲା ଯଥା; କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, କଟକ, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ମଧ୍ୟ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ବି ସମ୍ଭାବନା ରହିଛି।

ସେହିଭଳି ୧୦ ତାରିଖ ଦିନ ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ଢ଼େଙ୍କାନାଳ, କଟକ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ମଧ୍ୟ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ବି ସମ୍ଭାବନା ରହିଛି।
୧୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ମଧ୍ୟ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ବି ସମ୍ଭାବନା ରହିଛି।
ଏଣୁ କାଳବେଶାଖୀର ସମ୍ଭାବନାକୁ ନେଇ ଏହି ୪ ଦିନ ପାଇଁ ଉକ୍ତ ଜିଲ୍ଲାଗୁଡ଼ିକରେ ପାଣିପାଗ କେନ୍ଦ୍ର ପକ୍ଷରୁ ହଳଦିଆ ଚେତାବନୀ ବା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Spread the love