ହରିୟାଣାରୁ କୋଟିଏ ଟଙ୍କାର ହୀରା ଓ ସୁନା ଅଳଙ୍କାର ଲୁଟି ଗାଁରେ ଲୁଚିଥିଲେ, ଜଳଖିଆ କଲା ବେଳେ ମାଡିବସିଲା କ୍ରାଇମବ୍ରାଞ୍ଚ୍

ରୋଷେୟାର ସାଙ୍ଘାତିକ ନାଟକ । ଘରୁ ଲୁଟିନେଲା କୋଟିଏ ଟଙ୍କାର ସୁନା ଗହଣା । ହରିୟାଣାରେ ଜଣେ ବ୍ୟକ୍ତିଙ୍କ ଘରେ ରୋଷେଇ କରିବା ନାଟକ ରଚି ଜଣେ ଓଡ଼ିଆ ଯୁବକ କୋଟିଏ ଟଙ୍କାର ସୁନା ଗହଣା ଚୋରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ହରିୟାଣା କ୍ରାଇମବ୍ରାଞ୍ଚ ଖୋଳତାଡ଼ କରି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ଜୁରିଆପାଟଣା ଗାଁରୁ ଅଭିଯୁକ୍ତ ରୋଷେୟାକୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି।
ସୂଚନାଅନୁସାରେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗାଁର ବିକାଶ ମଲିକ (୩୨) ନାମକ ଯୁବକ କିଛିଦିନ ପୂର୍ବରୁ ହରିୟାଣା କାମ କରିବାକୁ ଯାଇଥିଲେ। ସେଠାରେ ଜଣେ କୋଟିପତି ଲୋକଙ୍କ ଘରେ ରହି ରୋଷେଇ କରୁଥିଲେ। ମାଲିକଙ୍କ ବିଶ୍ୱାସ ଭାଜନ ହେବା ପରେ ସେ ଘରର ଅନ୍ୟ କାମ ମଧ୍ୟ ବୁଝିବାକୁ ଲାଗିଲେ। ପରେ ପରିବାର ଲୋକ ତାଙ୍କୁ ବହୁ ବିଶ୍ୱାସ କରି ଘରେ ଏକୁଟିଆ ଛାଡି ବାହାରକୁ ମଧ୍ୟ ଯାଉଥିଲେ। ଏହି ବିଶ୍ୱାସରେ ବିଷ ଦେଇ ବିକାଶ ଘରେ କେହି ନଥିବା ସୁଯୋଗରେ ହୀରା, ସୁନା, ରୁପା ଆଦି ଗହଣା ନେଇ ଫେରାର ହୋଇଥିଲା। ପରେ ଘର ମାଲିକ ସମ୍ପୃକ୍ତ ଯୁବକଙ୍କ ଠିକଣା ଖୋଜି ନୟାନ୍ତ ହେବାପରେ ପୋଲିସ ମଧ୍ୟ ଟେର ପାଇନଥିଲା। ପରେ ଘଟଣା କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିଥିଲା। ଚୋରି ହୋଇଥିବା ଗହଣାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ ବୋଲି ସୂଚନା ମିଳିବା ପରେ ଘଟଣାକୁ ଗୁରୁତର ସହ କ୍ରାଇମବ୍ରାଞ୍ଚ ନେଇ ତଦନ୍ତ କରିଚାଲିଥିଲା। ଫୋନ ନମ୍ବରକୁ ଟ୍ରାକ୍ କରି ଅଭିଯୁକ୍ତ ଓଡ଼ିଶାରେ ଥିବା ଜାଣିବାରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ଏକଟିମ ଆସି ନୀଳଗିରି ଅଞ୍ଚଳରେ ପହଁଚି ଅଭିଯୁକ୍ତର ଘର ଜୁରିଆପାଟଣାରେ ପହଁଞ୍ଚିଥିଲା। ପରେ ଅଭିଯୁକ୍ତ ଜଣଙ୍କ ଶ୍ୟାମସୁନ୍ଦରପୁର ବଜାରରେ ବସି ଜଳଖିଆ ଖାଉଥିବା ସମୟରେ ହରିୟାଣା କ୍ରାଇମବ୍ରାଞ୍ଚ ତାଙ୍କୁ ମାଡିବସିଥିଲା। ପରେ ନୀଳଗିରି କୋର୍ଟରେ ହାଜର କରି ଟ୍ରାଞ୍ଜିଟରେ କ୍ରାଇମବ୍ରାଞ୍ଚ ତାଙ୍କୁ ହରିୟାଣାକୁ ନେଇ ଯାଇଥିବା ସୂଚନା ମିଳିଛି।

Spread the love