ସମ୍ବାଦ ପରିବେଷଣକୁ ନେଇ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓର ଅଭିନବ ପ୍ରୟାସ
ଭୁବନେଶ୍ୱର, ୨୭/୦୪: ସୂଚନା ଏପରି ଏକ ମାଧ୍ୟମ ଯାହାଦ୍ୱାରା ଆଜି ମଣିଷ ପ୍ରଗତି ପଥରେ ଆଗେଇ ଚାଲିଛି । ପୂର୍ବରୁ ଲୋକଙ୍କୁ କୌଣସି ବିଷୟରେ ଜାଣିବା ପାଇଁ ଅନେକ ପ୍ରୟାସ କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତମାନ ଇଂଟରନେଟ ଯୁଗରେ ସୂଚନା ଏବେ ହାତ ପାହନ୍ତାରେ ଉପଲବ୍ଧ । କିନ୍ତୁ ସେହି ସୂଚନା ଠିକ୍ ନା ଭୁଲ୍ ତାହା ନିର୍ଣ୍ଣୟ କରିବା ଏବେ ମୁସ୍କିଲ୍ ବ୍ୟାପାର ହୋଇପଡ଼ିଛି ।
ଆଜି ବିଭିନ୍ନ ସମ୍ବାଦ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପହଂଚିବା ପାଇଁ ଦୂରତା ବା ସମୟ କିଛି ବି ଲାଗୁନି । ସବୁ କିଛି ହାତ ପାହାନ୍ତାରେ ମିଳୁଛି । କେବଳ ଖବରକାଗଜ, ପତ୍ରିକା, ଟିଭି ବା ରେଡିଓ ନୁହେଁ ସୋସିଆଲ୍ ମିଡିଆରେ ଆମେ ୨୪ ଘଂଟା ନ୍ୟୁଜ୍ ସହିତ ସଂଶ୍ଳିଷ୍ଟ ।
ଠିକ୍ ସୂଚନା ହିଁ ଆମ ପାଇଁ ଉପଯୋଗୀ ଓ ହିତକାରୀ । କାରଣ ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହାର ପ୍ରଭାବ ଗୁରୁତ୍ୱପୂର୍ଣ୍ଣ ।
ଗୋଟେ ମିିଥ୍ୟା ଖବରର ପ୍ରଭାବ କେବଳ ବ୍ୟକ୍ତି ବା ବ୍ୟକ୍ତିତ୍ୱ ନୁହେଁ ବରଂ ପୁରା ସମାଜ ଉପରେ ଗଭୀର ରେଖାପାତ କରେ ।
ଯଦିଓ ଆଜି ଆମେ ସଭ୍ୟ ଶିକ୍ଷିତ ବା ସମୟ ସହ ଅଭିଜ୍ଞ ହୋଇଛେ ତଥାପି ଆମେ ଫେକ୍ ନ୍ୟୁଜ୍ ବା ମିଥ୍ୟା ଖବରର ଜାଲରୁ ମୁକ୍ତ ହୋଇ ପାରିନାହୁଁ। ଖାସ ଏହି ସମସ୍ୟାକୁ ବିଶ୍ଲେଷଣ କରିବା ନିହାତି ଜରୁରୀ ହୋଇପଡ଼ିଥିବା ବେଳେ ଏହି ପ୍ରୟାସରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ରେ ପ୍ରସାରିତ ହେଉଛି ଫ୍ୟାକ୍ଟ ଶାଲା କାର୍ଯ୍ୟକ୍ରମ। ପ୍ରତ୍ୟେକ ଶନିବାର ଓ ରବିବାର ସକାଳ ୭ଟା, ଅପରାହ୍ଣ ୧ଟା ଏବଂ ସନ୍ଧ୍ୟା ୭ଟାରେ ଏହି କାର୍ଯ୍ୟକ୍ରମ ରେଡିଓ ମାଧ୍ୟମରେ ପ୍ରସାରିତ ହେଉଛି । ଏହି ପ୍ରୟାସରେ ବିଭିନ୍ନ ବର୍ଗର ଅଭିଜ୍ଞମାନେ ଆମ ସହ ଯୋଡି ହୋଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ସୂଚନା (ଇନ୍ଫର୍ମେସନ୍) ସମ୍ପର୍କରେ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ, ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଲୋକ ସମ୍ପର୍କ ନିର୍ଦ୍ଦେଶକ ଶ୍ରୀ ପରେଶ ଦାସ । ତାଙ୍କ ସହିତ ଆର୍ଜେ ସବ୍ନମ୍ ଏ ନେଇ ବିଶେଷ ଆଲୋଚନା କରିଛନ୍ତି। ସେହିପରି ଏକତରଫା ସମ୍ବାଦ ପରିବେଷଣ (ବାୟେସ୍ଡ ନ୍ୟୁଜ୍) ସମ୍ପର୍କରେ ସାମ୍ବାଦିକା ତଥା ସୋଆର ଲୋକ ସମ୍ପର୍କ ଅଧିକାରୀ ଶୁଭଦର୍ଶିନି ମିଶ୍ର। ତାଙ୍କ ସହିତ ଆର୍ଜେ କେପି ଏବଂ ଆର୍ଜେ ସବ୍ନମ୍ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ସମ୍ବାଦ କ’ଣ (ହ୍ୱାଟ ଇଜ୍ ନ୍ୟୁଜ୍) ଏ ନେଇ ଆଲୋଚନା କରିଥିଲେ ‘ସମ୍ବାଦ’ର ଯାଜପୁର ଏଡିସନ୍ର ଚିଫ୍ କୋ-ଏଡିଟର୍ ଶ୍ରୀ ସୁଦାମ୍ବନ୍ଧୁ ଭଟ୍ଟମିଶ୍ର । ତାଙ୍କ ସହିତ ଆର୍ଜେ ସବ୍ନମ୍ ଏବଂ ଆର୍ଜେ କେପି ଆଲୋଚନା କରିଥିଲେ ।
ସେହିପରି ସମ୍ବାଦକୁ ଠିକ୍ ଭାବେ ତଦାରଖ କରି ପରିବେଷଣ କରିବା (ଷ୍ଟପ୍, ଚେକ୍, ଗୋ ଆହେଡ) ସମ୍ପର୍କରେ ଆଲୋଚନା କରିଥିଲେ ନ୍ୟୁଜ୍ ୭ ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବନାରାୟଣ ସେଠୀ। ତାଙ୍କ ସହ ଆଲୋଚନା କରିଥିଲେ ଆର୍ଜେ ରମାବଲ୍ଲଭ, ଆର୍ଜେ ସବ୍ନମ୍ ଓ ଆର୍ଜେ କେପି। ସମ୍ବାଦର ସୂତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଆର୍ଜେ ସବ୍ନମ୍, ଆର୍ଜେ ରମାବଲ୍ଲଭ ଓ ଆର୍ଜେ କେପି । ସେହିପରି ଭୁଲ୍ ସମ୍ବାଦ (ମିସ୍ଇନ୍ଫର୍ମେସନ୍) କୁ ଭିତି କରି କିଭଳି ସମ୍ବାଦ ପରିବେଷଣ କରାଯାଉଛି ସେ ନେଇ ଆଲୋଚନା କରିଥିଲେ ଆର୍ଜେ ରମାବଲ୍ଲଭ, ଆର୍ଜେ ଗୌର ଏବଂ ଆର୍ଜେ ସବ୍ନମ୍। ଏଥି ସହିତ ନ୍ୟାରୋ କାଷ୍ଟିଂ ଜରିଆରେ ସୋଆ ରେଡିଓ ଆଖପାଖ ବିଭିନ୍ନ ଅଂଚଳକୁ ଯାଇ ଏ ସମ୍ବନ୍ଧରେ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯାଇଛି।