୫୭୭ ଶିକ୍ଷକଙ୍କର କରୋନାରେ ମୃତ୍ୟୁ : ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ କରିଥିଲେ ଡ୍ୟୁଟି

ନୂଆଦିଲ୍ଲୀ, ୨୯/୪: ଉତ୍ତର ପ୍ରଦେଶରେ  ଗୁରୁବାର ଅନୁଷ୍ଠିତ ହୋଇଛି ପଞ୍ଚମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ନିର୍ବାଚନ ଦାୟିତ୍ୱରେ ଥିବା ପ୍ରାୟ ୫୭୭ଜଣ ଶିକ୍ଷକ କୋଭିଡରେ ଜୀବନ ହାରିଛନ୍ତି ।  ଏନେଇ ଉତ୍ତରପ୍ରଦେଶ ରାଜ୍ୟ ଶିକ୍ଷକ ସଙ୍ଘ ଦାବି କରିଛି । ଏହାପୂର୍ବରୁ ନିର୍ବାଚନ ବେଳେ ୧୩୫ ପୋଲିଂ ଅଧିକାରୀ ପ୍ରାଣହରାଇଥିବା ରିପୋର୍ଟ ଆସିଥିଲା। ଯାହାକୁ ଗୁରୁତର ସହ ନେଇଥିଲେ ଆଲହାବାଦ ହାଇକୋର୍ଟ।

ରାଜ୍ୟ ଶିକ୍ଷକ ସଙ୍ଗଠନ ଉତ୍ତର ପ୍ରଦେଶ ନିର୍ବାଚନ ଆୟୋଗଙ୍କୁ ୫୭୭ ଶିକ୍ଷକଙ୍କର ତାଲିକା ଦେଇଛି। ଏହି ଶିକ୍ଷକମାନେ ନିର୍ବାଚନ ସମୟରେ ଓ ଡ୍ୟୁଟି ସରିବା ପରେ ପ୍ରାଣ ହରାଇଛନ୍ତି । ଏହାସହ ଶିକ୍ଷକ ସଙ୍ଘ ପକ୍ଷରୁ ମେ ୨ରେ ହେବାକୁ ଥିବା ଭୋଟଗଣନା ସ୍ଥଗିତ ରଖିବାକୁ ଦାବି କରିଛନ୍ତି । ତେବେ ନିର୍ବାଚନ ଆୟୋଗ ଏହାକୁ ନାମଞ୍ଜୁର କରିଦେଇଛନ୍ତି ।

ମହାସଙ୍ଘର ଅଧ୍ୟକ୍ଷ ଦିନେଶ ଚନ୍ଦ୍ର ଶର୍ମା କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ନାଁରେ ନିର୍ବାଚୟ ଆୟୋଗ ୭୧ ଜିଲ୍ଲାରେ ୫୭୭ ଶିକ୍ଷକଙ୍କୁ ମରଣ ମୁହଁକୁ ଠେଲି ଦେଇଥିଲେ । ଏହି ଶିକ୍ଷକମାନେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଏହି ସମସ୍ତଙ୍କ ନାଁ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଛି । ଏହାପୂର୍ବରୁ ସରକାର  ସମସ୍ତ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ସର୍କୁଲାର ପଠାଇଥିଲେ। ଏଥିରେ ଶିକ୍ଷକଙ୍କ ମୃତ୍ୟୁର ତଦନ୍ତ ପାଇଁ କୁହାଯାଇଥିଲା ।

ଦିନେଶ ଚନ୍ଦ୍ର ଆହୁରି କହିଛନ୍ତି ଯେ, ଅନେକ ଜିଲ୍ଲାରେ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ବାବଦରେ ତଥ୍ୟ ହସ୍ତଗତ ହୋଇନାହି। ଲୋକମାନେ ଡରୁଛନ୍ତି। ସେମାନଙ୍କ ପରିବାରର ଆଉ କେହି ସଂକ୍ରମିତ ନହୁଅନ୍ତୁ ବୋଲି ସେମାନେ ଚାହୁଁଛନ୍ତି। ଏବେ ସ୍ଥିତି ଗମ୍ଭୀର ରହିଛି। ସେମାନେ ଏପ୍ରିଲ ୧୨ରେ ନିର୍ବାଚନ ଘୁଞ୍ଚାଇବାକୁ କହିଥିଲେ। କିନ୍ତୁ ଅନୁରୋଧକୁ ସରକାର ଅଣଦେଖା କରିଥିଲେ। ଯଦି ନିର୍ବାଚନ ଆୟୋଗ ଭୋଟ ଗଣତିକୁ ନଘୁଞ୍ଚାଇବେ ତାହାଲେ ସେମାନେ ଏହାର ବହିଷ୍କାର କରିବେ ବୋଲି ସେ ଚେତାବନୀ ଦେଇଛନ୍ତି ।

Spread the love