ଆରମ୍ଭ ହେଲା ଘୋଷ ଯାତ୍ରା ପ୍ରସ୍ତୁତି

ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ  ହୋଇ ଯାଇଛି। ପବିବ୍ର ଅକ୍ଷୟ ତୃତୀୟା ଅବସରରେ ଶନିବାର ରଥକାଠ ଅନୁକୂଳ ହୋଇଛି। ଏଥି ସହ ପୁରୀ ବଡଦାଣ୍ଡ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇଛି। ୩ ରଥ ମୁଖ୍ୟ ବିଶ୍ଵକର୍ମା ଆଜ୍ଞାମାଳ ପରଦାନ କରାଯାଇଛି।  ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି।

ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲା। ତିନିଜଣ ପୂଜାପଣ୍ଡା ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ପରେ ବିଶ୍ୱକର୍ମା ମହାରଣା ସୁବର୍ଣ୍ଣ କୁରାଢ଼ୀ ସ୍ପର୍ଶ କରି ରଥନିର୍ମାଣ ଅନୁକୂଳ କରିଥିଲେ। ବିନା ଭକ୍ତରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଓ ରଥନିର୍ମାଣ ହୋଇଛି।

ଆଜ୍ଞାମାଳ ପାଇବା ପରେ ବିନା ଭକ୍ତରେ ମଣିବିମାନ ଓ ପାଲିଙ୍କିରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ବିଜେ କରିଥିଲେ। ଏହା ପୂର୍ବରୁ ରଥନିର୍ମାଣ ନିମନ୍ତେ  ଦୁଇଜଣ ଦେଉଳ ପୁରୋହିତ ଓ ୧୧ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ହୋମ କରାଯାଇଥିଲା। ବ୍ୟାରିକେଡ ମଧ୍ୟରେ ୩ ଖଣ୍ଡ ଧଉରା କାଠ ରଖାଯାଇଥିଲା। ପୂଜା ପଣ୍ଡା ଆଜ୍ଞାମାଳ ବିଶ୍ୱକର୍ମା ମହାରଣାଙ୍କୁ ପ୍ରଦାନ  କରିବା ପରେ ଜଳ ସିଞ୍ଚନ କରାଯାଇ ସୁବର୍ଣ୍ଣ କୁରାଢ଼ୀ ଦ୍ୱାରା ରଥ ଅନୁକୂଳ ହୋଇଥିଲା।

ଏହାପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖ, ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ବଡ଼ଦାଣ୍ଡରେ ୧୪୪ଧାରା ଜାରୀ ହୋଇଥିଲା।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଛତିଶା ନିଯୋଗ ମହାନାୟକଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।ରଥନିର୍ମାଣରେ ସଂପୃକ୍ତ ସେବାୟତଙ୍କ ଶାଢ଼ୀ ବନ୍ଧା ଯାଇଥିଲା। ଭୋଇ ସେବକ ମାନେ ମହାପ୍ରସାଦ ଓ ନଡ଼ିଆ ଥୋଇ ଶାବଳ ପୂଜା କରିଥିଲେ। ରଥନିର୍ମାଣ ଅନୁକୂଳ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥିଲେ। ପ୍ରସ୍ତୁତ ହୋଇଥିବା ନନ୍ଦା ଓ ଭଦ୍ରା ଚାପରେ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵରେ ଜଳକ୍ରୀଡ଼ା କରିଥିଲେ।ଏହି ଦୃଶ୍ୟ ଥିଲା ବେଶ୍ ଅପୂର୍ବ ଓ ମନୋରମ।

ଗତବର୍ଷ କରୋନା ମହାମାରୀ ପାଇଁ ଶ୍ରୀମନ୍ଦିର ଭିତରେ ପ୍ରତିକାତ୍ମକ ଭାବେ ରଥନିର୍ମାଣ ଅନୁକୂଳ ଓ ବାହାର ଚନ୍ଦନ ଯାତ୍ରା ହୋଇଥିବା ବେଳେ ଚଳିତବର୍ଷ ବିନାଭକ୍ତର ଓ କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଯାତ୍ରା। ଏଥି ସହ ଆସନ୍ତାକାଲି ଠାରୁ ରଥନିର୍ମାଣରେ ସମ୍ପୃକ୍ତ ସେବାୟତ ସଙ୍ଗରୋଧରେ ରହିବେ

Spread the love