ଇବ୍ରାହୀମ ରାୟସୀ ହେବେ ଇରାନର ଆଗାମୀ ରାଷ୍ଟ୍ରପତି

ତେହେରାନ : ଇରାନ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିଯାଇଛି। ନିର୍ବାଚନରେ ଦେଶର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲ୍ଲି ଖାମନେଇଙ୍କ କଟ୍ଟର ସମର୍ଥକ ତଥା ନ୍ୟାୟପାଳିକା ମୁଖ୍ୟ ଇବ୍ରାହୀମ ରାୟସୀ ବହୁମତରେ ନିର୍ବାଚିତ ହୋଇଛନ୍ତି। ଏଥିରେ ଉଦାରବାଦୀ ପ୍ରାର୍ଥୀ ଅବଦୁଲ ନାସିର ହିମ୍ମାତୀଙ୍କ ଶୋଚନୀୟ ପରାଜୟ ହୋଇଛି। ରାୟସୀଙ୍କୁ ୧ କୋଟି ୭୮ ଲକ୍ଷ ଭୋଟ ମିଳିଥିବା ବେଳେ ହିମ୍ମାତୀଙ୍କୁ ମାତ୍ର ୨୪ ଲକ୍ଷ ଭୋଟ ମିଳିଛି।

ଇରାନ ରାଷ୍ଟ୍ରପତି ନିର୍ବାଚନ ପ୍ରତି ମତଦାତା ଏଥର ଅନାଗ୍ରହୀ ଥିଲେ। ଏଣୁ କମ୍‌ ଭୋଟ ପଡିଥିଲା। ରାୟସୀ ନିର୍ବାଚନରେ ପ୍ରାର୍ଥୀ ହେବା ଅନେକ ଭୋଟରଙ୍କୁ ନିରାଶ କରିଥିଲା। ଏଣୁ ଲୋକେ ମତଦାନ କେନ୍ଦ୍ରକୁ ଆସିନଥିଲେ। ନିର୍ବାଚନରେ ରାୟସୀଙ୍କ ବିପକ୍ଷରେ ହିମ୍ମାତୀଙ୍କ ସମେତ ପୂର୍ବତନ ରିଭଲ୍ୟୁସନାରୀ ଗାର୍ଡ କମାଣ୍ଡର ମୋହସିନ ରଜାଇ, ଆମିର ହୁସେନ ଗାଜିଜାଦା ହାସ୍ମୀ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀତା କରୁଥିଲେ। ତେବେ ଖାମନେଇ ନିର୍ବାଚନରେ ସବୁଠୁ ଦୃଢ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅଯୋଗ୍ୟ ଘୋଷଣା କରିବାରୁ ଫଳାଫଳ ରାୟସୀଙ୍କ ସପକ୍ଷରେ ଯାଇଛି।

ନିର୍ବାଚନ ଫଳାଫଳ ଆସିବା ପରେ ଇରାନ କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ମୁଖ୍ୟ ହିମ୍ମାତୀ ଓ ରେଜାଇ ରାୟସୀଙ୍କୁ ବଧେଇ ଜଣାଇଛନ୍ତି। ରୟାସୀ ଦେଶର ଏପରି ପ୍ରଥମ ରାଷ୍ଟ୍ରପତି ହେବେ ଯିଏ ଶାସନ ଭାର ଗ୍ରହଣ କରିବା ପୂର୍ବରୁ ତାଙ୍କ ଉପରେ ଆମେରିକା କଟକଣା ରହିଛି। ଆମେରିକା ୧୯୮୮ ମସିହାରେ କୂଟନୈତିକ ବନ୍ଦୀଙ୍କ ସାମୂହିକ ହତ୍ୟା ଲାଗି ନ୍ୟାୟପାଳିକା ମୁଖ୍ୟ ଭାବେ ଅନ୍ତର୍ଜାତୀୟ ସମାଲୋଚନା ଯୋଗୁ ଏହି କଟକଣା ଲାଗୁ କରିଥିଲା।

ଇରାନୀ ଗଣମାଧ୍ୟମ ରାୟସୀଙ୍କୁ ଖାମନେଇଙ୍କ ଉପଯୁକ୍ତ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଆକଳନ କରୁଛନ୍ତି। ସେ ନ୍ୟାୟପାଳିକା ମୁଖ୍ୟ ଅବସ୍ଥାପିତ ଥିବା ବେଳେ ଭ୍ରଷ୍ଟ ସରକାରୀ ଅଧିକାରୀଙ୍କ ବିରୋଧରେ ଚଳାଇଥିବା ଅଭିଯାନ ଗତ ନିର୍ବାଚନରେ ତାଙ୍କ ସପକ୍ଷରେ ଆସିଛି। ସେ ମଧ୍ୟ ନିର୍ବାଚନ ପ୍ରଚାରରେ ଭ୍ରଷ୍ଟାଚାର ବିରୋଧରେ ତାଙ୍କର ସଂଗ୍ରାମ ଜାରି ରହିବ ବୋଲି ଘୋଷଣା କରିଥିବା ବେଳେ ଦେଶର ନିମ୍ନଆୟକାରୀ ବର୍ଗଙ୍କ ନିମନ୍ତେ ନୂତନ ଆବାସ ଯୋଜନା ହାତକୁ ନେବେ ବୋଲି କହିଥିଲେ।

Spread the love