ସରକାର ଆସିଲେ ଚାଷୀଙ୍କୁ 5 ବର୍ଷ ପାଇଁ ବିନା ସୁଧରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ: ରାଜନାଥ ସିଂହ

  • ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଚାର ପାଇଁ ଓଡ଼ିଶାକୁ ଛୁଟୁଛି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ। ଗତକାଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ଉମା ଭାରତୀଙ୍କ ପ୍ରଚାର ପରେ ଆଜି ଗୃହମନ୍ତ୍ରୀ ରାଜନାଥ ସିଂହ କରଞ୍ଜିଆ, କିଶୋରନଗରରେ ପ୍ରଚାର କରିଛନ୍ତି। ପିଏମ କିଷାନ ଯୋଜନାରେ ଚାଷୀଙ୍କ ତାଲିକା ଦେଇନଥିବା ନେଇ ରାଜନାଥ ଓଡ଼ିଶା ସରକାରଙ୍କ ତୀବ୍ର ସମାଲୋଚନା କରିଛନ୍ତି। ଏହା ସହିତ ରାଜ୍ୟବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ପାରୁନଥିବା ଏହି ସରକାରଙ୍କୁ ବଦଳାଇବାକୁ ସେ ଜନତାଙ୍କୁ ଆହ୍ଵାନ ଦେଇଛନ୍ତି।

ଆଜି କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ କରଞ୍ଜିଆ, କିଶୋରନଗରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, କେନ୍ଦ୍ର ସରକାର ସବୁ ବେଳେ  ଓଡ଼ିଶା ଭାଷା, ସଂସ୍କୃତିକୁ ଗୁରୁତ୍ଵ ଦେଇ ଆସିଛି। କେନ୍ଦ୍ର ମୟୂରଭଞ୍ଜର ଛଉ ନୃତ୍ୟର ପ୍ରଚାର, ପ୍ରସାର ପାଇଁ ଉଦ୍ୟମ କରିବ। ସେ କହିଛନ୍ତି ଯେ, ପୁଲଓ୍ଵାମା ହମଲା ପରେ ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦିଆଯାଇଛି। ଭାରତୀୟ ବାୟୁସେନା ଘରେ ପଶି ଆତଙ୍କବାଦୀକୁ ନିପାତ କରିଛି। ମାତ୍ର ବିରୋଧୀ କେତେ ଆତଙ୍କୀ ମରିଛନ୍ତି ତାର ସଂଖ୍ୟା ମାଗୁଛନ୍ତି।

ସେ କହିଛନ୍ତି ଯେ, ପାକିସ୍ତାନକୁ ଯୁଦ୍ଧରେ ହରାଇବା ପାଇଁ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରାଯାଉଛି। ତେବେ ବାଲାକୋଟ ଏୟାର ଷ୍ଟ୍ରାଇକ ପାଇଁ ପିଏମ ନରେନ୍ଦ୍ର ମୋଦୀଙ୍କୁ କଣ ପାଇଁ ପ୍ରଶଂସା କରାଯିବନି। 5 ବର୍ଷ ତଳେ ଭାରତରେ 12.5 କୋଟି ଗରିବ ଥିଲେ, ମାତ୍ର ଏବେ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ତାହା 5 କୋଟିକୁ ହ୍ରାସ ପାଇଛି। ଆମ ସରକାର ଗରିବଙ୍କ ସ୍ଵାର୍ଥ ପାଇଁ ସଂପୂର୍ଣ୍ଣ ସମର୍ପିତ ବୋଲି ରାଜନାଥ କହିଛନ୍ତି।

ଏହା ପରେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ପିଏମ କିଷାନ ଯୋଜନାରେ ରାଜ୍ୟ ସରକାର ସବିଶେଷ ଚାଷୀଙ୍କ ତାଲିକା ଦେଇ ନାହାନ୍ତି। ରାଜ୍ୟ କେବଳ 8 ଲକ୍ଷ ଚାଷୀଙ୍କ ତାଲିକା ଦେଇଛି। ଫଳରେ ବାକି ଚାଷୀ ଏହି ଯୋଜନାରୁ ଉପକୃତ ହୋଇ ପାରି ନାହାନ୍ତି। ରାଜନାଥ କହିଛନ୍ତି ଯେ, ସରକାର ଆସିଲେ ଚାଷୀଙ୍କୁ 5 ବର୍ଷ ପାଇଁ ବିନା ସୁଧରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ବିଜେପି ସରକାରକୁ ଆସିଲେ କରଞ୍ଜିଆକୁ ରେଳ ସଂଯୋଗ କରାଯିବ। ରାଜନାଥ କହିଛନ୍ତି ଯେ, କୌଣସି ମୌଳିକା ସୁବିଧା ଦେଉନଥିବା ଓଡ଼ିଶା ସରକାରକୁ ବଦଳାନ୍ତୁ। ବିଜେଡିକୁ ବାରମ୍ବାର କ୍ଷମତା ଦେଲେଣି, ଆମକୁ ଥରେ ସୁଯୋଗ ଦିଅନ୍ତୁ।  ଆମକୁ ଏଠାରେ ଥରେ ମୌକା ଦିଅନ୍ତୁ, ସରକାର କେମିତି ଚାଲେ ଦେଖାଇବୁ।

Spread the love