ତାରକସିକୁ ଜିଆଇ ଟ୍ୟାଗ୍‌ ପାଇଁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର

କଟକ, ୦୬/୦୭: କଟକ ତାରକସି କାମକୁ ଜିଆଇ ଟ୍ୟାଗ ଦେବା ପାଇଁ ଆବେଦନ କରିଛନ୍ତି ରାଜ୍ୟ ସରକାର । ନ୍ୟୁଜ ସେଭେନକୁ ଚେନ୍ନାଇର ବରିଷ୍ଠ ଜିଆଇ ଟ୍ୟାଗ ଆଡଭୋକେଟ ଏନେଇ ସୂଚନା ଦେଇଥିବା ବେଳେ ଓଡ଼ିଶା ପକ୍ଷରୁ ସେ ଆବେଦନ ଫାଇଲ୍‌ କରିଛନ୍ତି । କଟକ ରୁପା ତାରକସିକୁ ଜିଆଇ ଟ୍ୟାଗ ଦେବା ଲାଗି ବିଭିନ୍ନ ମହଲରେ ଦାବି ହେଉଥିବା ବେଳେ ରାଜ୍ୟ ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିଥିବାରୁ କାରିଗରମାନେ ଖୁସି ଜାହିର କରିଛନ୍ତି।

ଓଡ଼ିଶାର ଗର୍ବ ଓ ଗୌରବ କଟକର ରୁପା ତାରକସିକୁ ଜିଆଇ ଟ୍ୟାଗ ଦିଆଯାଉ ବୋଲି ଓଡ଼ିଶା ଯୁକ୍ତି ରଖିଛି । ପୃଥିବୀର ଭିନ୍ନଭିନ୍ନ ସ୍ଥାନରେ ରୁପା କାରୁକାର୍ଯ୍ୟ ହେଉଥିଲେ ବି କଟକ ତାରକଷୀ ସ୍ବତନ୍ତ୍ର। ଏହାକୁ ଆଧାର କରି ତାରକସିକୁ ଜିଆଇ ଟ୍ୟାଗ ଦାବି  ଚେନ୍ନାଇ ସ୍ଥିତ ଜିଆଇ କାର୍ଯ୍ୟାଳୟରେ ଆବଦେନ କରିଛି ଓଡିଶା। ରାଜ୍ୟ ସମବାୟ  ହସ୍ତକଳା କର୍ପୋରେସନ । ଚେନ୍ନାଇର ପ୍ରତିଷ୍ଠିତ ଜିଆଇ ଟ୍ୟାଗ ଆଡଭୋକେଟ ସଞ୍ଜଇ ଗାନ୍ଧି ଓଡ଼ିଶା ପକ୍ଷରୁ ଆବେଦନ ରଖିଛନ୍ତି। ଯେଉଁଥିରେ ଦର୍ଶାଯାଇଛି ଯେ ୧୩ ଶହ ଶତାବ୍ଦୀରେ ଅନଙ୍ଗ ଭୀମଦେବଙ୍କ ରାଜୁତି ସମୟରେ କଟକରେ କାରିଗରମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ । ସେବେଠାରୁ ରୁପା ତାରର ଏହି କଳାକୃତିର ଧାରା ବଳବତ୍ତର ରହିଛି । ନ୍ୟୁଜ ସେଭେନକୁ ସୂଚନା ଦେଇ ଆଡଭୋକେଟ  ସଞ୍ଜଇ ଗାନ୍ଧି କହିଛନ୍ତି ଯେ ଆବେଦନ ପରେ ଜିଆଇ ପାଇଁ ଏକ କମିଟି ଗଠନ କରାଯିବ ଏବଂ ଏହି କମିଟି ଆବେଦନର ଅନୁଧ୍ୟାନ କରିବ।

ରୁପା ତାରର ନିଖୁଣ କାରିଗରି ଦୁର୍ଗାପୂଜା ମେଢକୁ ସମୃଦ୍ଧ କରିଛି । ଛୋଟଛୋଟ ଉପହାର ସାମଗ୍ରୀ ଦେଶ-ବିଦେଶରେ ଖୁବ ନାଁ କରିଛି। ଏଠାକାର କାରିଗରଙ୍କର ତାରକସି କାର୍ଯ୍ୟ କଟକକୁ ଦେଇଛି ଏକ ସ୍ବତନ୍ତ୍ର ପରିଚିତି । ରୁପା ତାରକସିକୁ ଜିଆଇ ଟ୍ୟାଗ ଦେବା ଲାଗି ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା। ଏବେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବାରୁ କାରିଗରଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ପୁରୁଷାନୁକ୍ରମିକ ଭାବେ ସେମାନେ ଯେଉଁ କାରୁକାର୍ଯ୍ୟ ସହ ଯୋଡ଼ି ହୋଇ ରହିଛନ୍ତି ଏହା ଏବେ ସେମାନଙ୍କ ପାଇଁ ଗୌରବ ଆଣିବ ବୋଲି କାରିଗର ମାନେ ଆଶା ପ୍ରକାଶ କରିଛନ୍ତି । ଜିଆଇ କମିଟି ଅନୁଧ୍ୟାନ କରିବା ପରେ ୮ ମାସ ସମୟ ଲାଗିପାରେ। ଏହା ପରେ କଟକ ତାରକଷିକୁ ମିଳିପାରିବ ଜିଆଇ ଟ୍ୟାଗ।

Spread the love