ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ, ୨ ବର୍ଷ ହେଲା କରୁଥିଲା ବ୍ଲାକମେଲିଂ : ୭ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗରେ ଗିରଫ

ସାନଖେମୁଣ୍ଡି ୭।୭: ଜଣେ ବିବାହିତା ମହିଳାଙ୍କୁ ନିଶା ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ସମ୍ପୃକ୍ତ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରିଥିଲେ । ତାଙ୍କୁ ବ୍ଲାକମେଲ କରି ପ୍ରାୟ ୭ ଲକ୍ଷ ଟଙ୍କା ପର୍ଯ୍ୟାୟକ୍ରମେ ଲୁଟି ଶେଷରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ସୋମବାର ଗିରଫ ହୋଇଛନ୍ତି । ଚିକିଟି ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ଗଂଜାମ ଜିଲ୍ଲା  ବିଜେପି ଯୁବ ମୋର୍ଚ୍ଚାର ଉପ ସଭାପତି ପ୍ରିୟରଞ୍ଜନ ବେହେରା ।

ଜରଡ଼ା ଥାନାରେ ଜନୈକ ମହିଳା ଦେଇଥିବା ଏତଲା ଆଧାରରେ ପ୍ରାୟ ଦୁଇ ବର୍ଷ ପୂର୍ବେ ପାତ୍ରପୁର ବ୍ଲକର ଜଣେ ମହିଳା ନିଜ ଗାଡି ଖରାପ ହେବା ଯୋଗୁଁ ବିଜେପି ନେତା ପ୍ରିୟରଞ୍ଜନ ବେହେରାଙ୍କୁ ଲିଫ୍ଟ ମାଗିଥିଲେ । ଗୋଟିଏ ଗାଡ଼ିରେ ଯିବା ସମୟରେ ବିଜେପି ନେତା ମହିଳାଙ୍କ ସହ ତାଙ୍କର ଏକ ଫୋଟୋ ଉଠାଇ ଦେଇଥିଲେ । କିଛିଦିନ ପରେ ସେ ମହିଳା ଜଣଙ୍କୁ ୧୦ ହଜାର ଟଙ୍କା ମାଗିଲେ ଏବଂ ନଦେଲେ ତାଙ୍କ ଫଟୋ ତାଙ୍କ ସ୍ବାମୀଙ୍କୁ ପଠେଇବି ବୋଲି ଧମକାଇଥିଲେ । ମହିଳା ଜଣକୁ ନିଜ ଘରକୁ ଆସିବା ପାଇଁ ବାଧ୍ୟ କଲେ । ମହିଳା ଜଣକ ଭୟରେ ତାଙ୍କ ଘରକୁ ଯିବା ପରେ ବିଜେପି ନେତା ତାଙ୍କୁ ମୃଦୁ ପାନୀୟରେ କିଛି ନିଶା ମିଶାଇ ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେହି ସମୟର ଭିଡିଓ ମଧ୍ୟ କରିଥିବା ଏତଲାରେ ଦର୍ଶାଯାଇଛି ।

ପରବର୍ତ୍ତୀ ସମୟରେ ଏହି ଭିଡ଼ିଓକୁ ନେଇ ବିଜେପି ନେତା ଜଣଙ୍କ ତାଙ୍କୁ ବ୍ଲାକମେଲିଂ କରି ପ୍ରାୟ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୁଟି ଚାଲିଥିଲା । ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ଆଉ ଟଙ୍କା ଦେବାକୁ ଅସମର୍ଥ କହି ଚୁପ ରହିଯିବାରୁ ବିଜେପି ନେତା ଜଣକ ତାଙ୍କ ଆପତ୍ତିଜନକ ଭିଡ଼ିଓକୁ ସାମାଜିକ ଗଣମାଧ୍ୟମରେ ଛାଡି ଚାରିଆଡେ ଭାଇରାଲ କରିଦେଇଥିଲେ । ଏହାପରେ ବାଧ୍ୟହୋଇ ମହିଳା ଜଣଙ୍କ ଜରଡ଼ା ଥାନାରେ ଲିଖିତ ଅଭିଯୋଗ ଦେବାପରେ ଜରଡ଼ା ପୋଲିସ ଏନେଇ ଜରଡ଼ା ଥାନା ତରଫରୁ କେସ୍ ନମ୍ବର ୧୫୫/୨୦୨୧ ରୁଜୁ ହୋଇ ଅଭିଯୁକ୍ତ ବିଜେପି ନେତା ପ୍ରିୟରଞ୍ଜନ ବେହେରାଙ୍କୁ ଗୋଳନ୍ଥରା ଥାନା ସୁରଳ ପଞ୍ଚାୟତ ଅନ୍ତର୍ଗତ ତାଙ୍କ ନିଜ ଗାଁ କଇଠରୁ ଗିରଫ କରି ଆଣି ତଦନ୍ତ ଆରମ୍ଭ କରିଥିଲା ।

ମଙ୍ଗଳବାର ଅଭିଯୁକ୍ତ ପ୍ରିୟରଞ୍ଜନ ଓ ପୀଡିତା ଉଭୟଙ୍କର ଡାକ୍ତରୀ ମାଇନା କରାଯାଇଥିବା ଜରଡ଼ା ଥାନା ଆଇଆଇସି ଭବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦୁଇବର୍ଷ ହେଲା ସମ୍ପୃକ୍ତ ମହିଳାଙ୍କୁ ବ୍ଲାକମେଲିଂ କରି ତାଙ୍କ ସହ ଜୋରକରି ନିଶାଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରି ତାର ଭିଡ଼ିଓ କରି ମହିଳାଙ୍କଠାରୁ ଟଙ୍କା ମାଗିବା ସହ ବିଭିନ୍ନ ଦୋକାନରୁ ପୋଷାକ, ସୁନା ଓ ଅନ୍ୟ ଜିନିଷପତ୍ର କିଣି ମହିଳାଙ୍କୁ ତାର ଟଙ୍କା ଦେବାକୁ ବାଧ୍ୟ କରିଆସୁଥିଲେ, ଶେଷରେ ମହିଳା ଆଉ ଟଙ୍କା ଦେଇନପାରିବାରୁ ତାଙ୍କର ଅଶ୍ଳୀଳ ଭିଡ଼ିଓକୁ ଅଭିଯୁକ୍ତ ପ୍ରିୟରଞ୍ଜନ ଭାଇରାଲ କରିଦେଇଥିବା ଆଇଆଇସି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ବହୁ ସଙ୍ଗୀନ ଦଫା ଲାଗିଛି । ଆଇପିସିର ଧାରା ୩୭୬,୨୯୨,୩୫୪ସି, ୩୫୪ଡି, ୩୮୪, ୪୨୦, ୪୬୫, ୪୬୯, ୫୦୬, ୫୦୯ ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଦଫା ଲଗାଯାଇ କୋର୍ଟ ଚାଲାଣ କରାଯାଇଛି ।

Spread the love