ରାଜନୈତିକ ଅଭିସନ୍ଧି ରଖି ବିଜେପି ନେତ୍ରୀମାନଙ୍କୁ ସୋସିଆଲ ମିଡିଆ ଜରିଆରେ କଦର୍ୟ୍ୟ ଭାଷା ବ୍ୟବହାର କରାଯାଇ ଅପମାନିତ କରାଯାଉଛି: ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ୟରେ ଶାସକ ବିଜେଡିର ଶାସନରେ ରାଜ୍ୟର ଅଗଣିତ ମାଁ ଓ ଭଉଣୀମାନେ ଆଦୈା ସୁରକ୍ଷିତ ନାହାନ୍ତି । ନା ଘରେ ସୁରକ୍ଷିତ ନା ବାହାରେ ସୁରକ୍ଷିତ । ସାମାଜିକ ଗଣମାଧ୍ୟମ ତଥା ସୋସିଆଲ ମିଡିଆର ଅପବ୍ୟବହାର କରି ବର୍ତମାନ ନୂତନ କୈାଶଳ ଆପଣାଇ ନାରୀମାନଙ୍କୁ ଅସମ୍ମାନ କରାଯାଉଛି । ରାଜନୈତିକ ଅଭିସନ୍ଧି ରଖି ବିଜେପିର ଅନେକ ନେତ୍ରୀମାନଙ୍କୁ ସୋସିଆଲ ମିଡିଆ ଜରିଆରେ କଦର୍ୟ୍ୟ ଭାଷା ବ୍ୟବହାର କରାଯାଇ ଅପମାନିତ କରାଯାଉଛି । ଏହା କ’ଣ ବିଜେଡିର ମା’ଙ୍କୁ ସମ୍ମାନ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତି ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେଡି ଆଇଟି ସେଲ୍ର କାର୍ୟ୍ୟକର୍ତାମାନେ ଅପଶଦ୍ଦ ଏବଂ ଅଭଦ୍ର ଭାଷା ପ୍ରୟୋଗ କରୁଛନ୍ତି । ଏହା ଅତ୍ୟନ୍ତ ଧର୍ତବ୍ୟ ଅପରାଧ । ନବୀନ ବାବୁ ଦଳର ସଭାପତି ଓ ମୁଖ୍ୟମନ୍ତ୍ରୀ ଭାବରେ ସବୁ ଜାଣି ମଧ୍ୟ ଏପରି କାର୍ୟ୍ୟକୁ କିପରି ପ୍ରୋତ୍ସାହନ ଦେଉଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଶାସକ ବିଜେଡି ଦଳର ଆଇଟି ସେଲ୍ ଦ୍ୱାରା ଡ.ଲେଖାଶ୍ରୀଙ୍କ ପ୍ରସଙ୍ଗରେ ବିଭିନ୍ନ ସମୟରେ ଆଶାଳୀନ ଓ ଅଭଦ୍ର ଭାଷା ପ୍ରୟୋଗ କରାଯାଇ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ କରୁଛନ୍ତି । ଆମେ ଏହାକୁ ନେଇ ସାଇବର ଥାନାରେ ଗତ ଜୁନ୍ ମାସ ୩୦ ତାରିଖରେ ମାମଲା ରୁଜୁ କରାଯାଇଥିଲା ଏବଂ କ୍ୟାପିଟାଲ ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା । ପୋଲିସ ନିକଟରେ ବାରମ୍ବାର ଅଭିଯୋଗ ସତ୍ୱେ କୈାଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଅତୀତରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଭିଡିଓ ଭାଇରାଲ ହୋଇଥିଲା ବେଳେ ବିଜେପିର କର୍ମୀଙ୍କୁ ଅଯଥା ଜେଲରେ ଭର୍ତି କରିଥିଲେ ମାତ୍ର ଏଠାରେ ପୋଲିସର ହାତ ବନ୍ଧା ପଡିଛି । ଏହା ପୂର୍ବରୁ କେନ୍ଦୁଝର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ କିନ୍ତୁ ଅଭିଯୁକ୍ତକୁ ଗିରଫ କଲାନାହିଁ । ଅଭିଯୁକ୍ତକୁ ବାହାରେ ବୁଲିବା ଲୋକେ ଦେଖୁଛନ୍ତି ମାତ୍ର ପୋଲିସ କହୁଛି ସେ ଘରେ ନାହିଁ । ଏହା ରାଜ୍ୟ ସରକାରଙ୍କ ଦୋମୁହାଁ ଚରିତ୍ର ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏହି ଅବସରରେ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର ଏବଂ ମିଡିଆ ସଂଯୋଜିକା ସୁଚରିତା ଜେନାମଣି ପ୍ରମୁଖ
ଉପସ୍ଥିତ ଥିଲେ ।

Spread the love