ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି, ବହୁ ବୁଥ୍‌ରେ ମତଦାନ ବିଳମ୍ବିତ

ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ଭୋଟଦାନ ଚାଲିଥିବା ବେଳେ ବିଭିନ୍ନ ମତଦାନ କେନ୍ଦ୍ରରେ ଇଭିଏମ୍‌ରେ ଦେଖାଦେଇଛି ଯାନ୍ତ୍ରିକ ତ୍ରୁଟି। ଫଳରେ କେତେକ ନିର୍ବାଚନ ମଣ୍ଡଳୀରେ ମତଦାନ ବିଳମ୍ବିତ ହୋଇଛି। ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆଜି ସକାଳୁ ଆରମ୍ଭ ହୋଇଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନଙ୍କ ଭିଡ଼ ଦେଖିବାକୁ ମିଳିଛି। କେତେକ ବୁଥ୍‌ରେ ମତଦାନ ସୁରୁଖୁରୁରେ ଚାଲିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି। ଫଳରେ ମତଦାନ ବିଳମ୍ବିତ ହେବାରେ ଲାଗିଛି। ଯାହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମତଦାନକୁ ସୁରୁଖୁରୁରେ ପରିଚାଳନା ପାଇଁ ଇଭିଏମ୍‌ରେ ଦେଖାଦେଇଥିବା ତ୍ରୁଟିକୁ କେତେକ ବୁଥ୍‌ରେ ପୁଲିଂ କର୍ମଚାରୀମାନେ ସଜାଡିବାରେ ଲାଗିଥିବା ବେଳେ ଅନ୍ୟ କେତେକ ବୁଥ୍‌ରେ ନୂଆ ଇଭିଏମ୍‌ ମେସିନ୍‌ ଲଗାଇ ମତଦାନ ଜାରି ରଖିଥିବା ଦେଖିବାକୁ ମିଳିଛି।  ବାରିପଦା ନିର୍ବାଚନ ମଣ୍ଡଳୀର ରାଜରାଣୀ ୟୁପି ସ୍କୁଲ୍‌ସ୍ଥିତ ବୁଥ୍‌ ନମ୍ବର ୫୧ ଏବଂ ୬୧ରେ ଇଭିଏମ୍‌ କାମ କରୁ ନ ଥିବାରୁ ମତଦାନରେ ବିଳମ୍ବ ଘଟିଛି। କେନ୍ଦ୍ରାପଡ଼ାର ବୁଥ୍‌ ନମ୍ବର ୧୩୯, ୧୪୧, ରାଜନଗରର ବୁଥ୍‌ ନମ୍ବର ୨୨୬ ଓ ୬୮, ବାଲିକୁଦା ଏରସମା ବାଖରାବାଦର ବୁଥ୍‌ ନମ୍ବର ୧୩୮, ଜଳେଶ୍ୱର ଅନ୍ତର୍ଗତ ଉଲୁମରା ପଞ୍ଚାୟତର ବୁଥ୍‌ ନମ୍ବର ୫, ଭଦ୍ରକର ୧୮୪ ୧୮୫ ଏବଂ ନଟାକଟାର ବୁଥ୍‌ ନମ୍ବର ୨୦୩ରେ ଇଭିଏମ୍‌ ଓ ଭିଭିପିଏଟି କାମ କରୁ ନ ଥିବାରୁ ଭୋଟ୍‌ ଗ୍ରହଣ କରି ହେଉ ନାହିଁ।

Spread the love