ଫୋନି, ୮ରୁ ୧୦ଟା ମଧ୍ୟରେ ପୁରୀରେ କରିବ ଲ୍ୟାଣ୍ଡଫଲ୍‌

ସାମୁଦ୍ରିକ ଝଡ଼୍‌ ବାତ୍ୟା ଫୋନି ଏବେ ଧୀରେଧୀରେ ଓଡ଼ିଶାର ନିକଟତର ହେବାରେ ଲାଗିଛି। ଫୋନି ଯେତିକି ପାଖେଇ ଆସୁଛି ବର୍ଷାର ପରିମାଣ ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ବର୍ତ୍ତମାନ ‘ଫୋନି’ ପୁରୀ ଠାରୁ ୨୭୫ କିମି ଦୂର ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ହୋଇଛି।

ଘଣ୍ଟାପ୍ରତି ୧୭ କିମି ବେଗରେ ଓଡ଼ିଶା ଆଡ଼କୁ ମୁହାଁଇଥିବା ଫୋନି ଆସନ୍ତାକାଲି ସକାଳ ୮ଟାରୁ ୧୦ ମଧ୍ୟରେ ସ୍ଥଳ ଭାଗ ଛଇଁବ। ପୁରୀ ସହରର ଏବଂ ଏହାର ଆଖପାଖ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ କରି ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ଆଶଙ୍କା କରାଯାଉଛି।  ଏକ୍ସଟ୍ରିମ୍ ସିଭିୟର ସାଇକ୍ଲୋନ୍ ଭାବେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଉଥିବା ଫୋନି ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିଲୋମିଟର ରହିବ। ବେଳେବେଳେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟରକୁ ମଧ୍ୟ ଛୁଇଁପାରେ।

ଏହାର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି। ଫୋନି ପ୍ରଭାବରେ ଆଜି ଠାରୁ ହିଁ ପୁରୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ଫୋନିକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେହିପରି ତଳିଆ ଅଞ୍ଚଳର ପ୍ରାୟ ୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Spread the love