ରାଜସ୍ୱ ଲୁଟ୍ କରୁଥିବା ଅଭିଯୁକ୍ତଙ୍କୁ ଲଘୁ ଖଣିଜ ଦ୍ରବ୍ୟ ଆଇନ ଅଧୀନରେ ଦଣ୍ଡିତ କରାଯାଉ: କେ.ନାରାୟଣ ରାଓ

ଭୁବନେଶ୍ୱର : ସନ୍ଦେହଜନକ ଭାବେ ଏସିଏଫ ସୋମ୍ୟରଂଜନ ମୃତ୍ୟୁକୁ ୨ ମାସ ପୂରିଥିଲେ ବି ଓଡିଶା ପୁଲିସ କିମ୍ବା କ୍ରାଇମବ୍ରାଂଚ ଏଯାବତ୍ ଅଭିଯୁକ୍ତକୁ ଗିରଫ କରିପାରିଲେ ନାହିଁ । ପରିବାର ସଦସ୍ୟ ବନ ବିଭାଗ ଅଧିକାରୀ, ପୁଲିସ ମହାନିର୍ଦ୍ଦେଶକ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଗୁହାରୀ କରିବା ସତ୍ୱେ ଶାସକ ଦଳ ନିର୍ଦ୍ଦେଶରେ ତଦନ୍ତକୁ ବାଟମଣା କରାଯାଉଛି । ଓଡିଶାର ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହୋଇ ପାରୁନାହିଁ । ଶାସକ ଦଳର ବିଧାୟକ ଓ ମନ୍ତ୍ରୀଙ୍କ ସ୍ୱାର୍ଥ ପାଇଁ ଡିଏଫଓଙ୍କୁ ଆଜାଦ୍ କରିଦିଆଯାଇଛି । ଡିଏଫଓଙ୍କୁ ତଦନ୍ତ ପରିସରଭୃକ୍ତ କଲେ କାଳେ ସେ ରକ୍ତ ଚନ୍ଦନ କାଠ ଚୋରା ଚାଲଣର ଗୁମର ଖୋଲିଦେବେ ସେ ଭୟ ଏବେ ଜଙ୍ଗଲ ମନ୍ତ୍ରୀଙ୍କୁ ଘାରିଛି । ନିଜ ଗାଦି ସୁରକ୍ଷିତ ରଖିବା ପାଇଁ ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର ଏବଂ ଖୋଦ୍ ବିଭାଗୀୟ ମନ୍ତ୍ରୀ ଓ ତଦନ୍ତକାରୀ ସଂସ୍ଥା ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଂଜିତ ଦାସ ଅଭିଯୋଗ କରିଛନ୍ତି । ଏଭଳି ଏକ ଦୁଃଖଦ ସମୟରେ ସୌମ୍ୟଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ଖଇରାରର ୨୫ ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଙ୍ଗଠନ, ବ୍ୟବସାୟ ପ୍ରତିଷ୍ଠାନ ଓ ସାଧାରଣ ଜନତା ସ୍ୱତଃପ୍ରବୃତ ଭାବେ ରାସ୍ତାକୁ ଓହ୍ଲାଇଥିଲେ । ଏବେ ଖଇରାବାସୀ ସୌମ୍ୟଙ୍କୁ ନ୍ୟାୟ ଦେବା ପାଇଁ ଅଂଟା ଭିଡି ଥିବାରୁ ଶ୍ରୀ ଦାସ ସମସ୍ତ ଖଇରା ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏସିଏଫ ସୋମ୍ୟରଂଜନ ମୃତ୍ୟୁ ମାମଲାକୁ ରାଜ୍ୟ ସରକାର ଗୁରୁତର ସହ ନନେବାରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହି ଘଟଣାରେ ଶାସକ ବିଜେଡି ନେତାଙ୍କ ସଂପୃକ୍ତି ରହିଛି ଏବଂ ସେମାନଙ୍କୁ ଘଂଟ ଘୋଡାଇବା ପାଇଁ ଅପଚେଷ୍ଟା ଚାଲିଛି । ବିଧାନସଭାର ଶୂନ୍ୟ କାଳରେ
ପାରଲାଖେମୁଣ୍ଡିର ବିଜେପି ବିଧାୟକ କେ. ନାରାୟଣ ରାଓ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ପରେ ଓଲଟା ତାଙ୍କ ଉପରେ ବାଲି ମାଫିଆର ଆରୋପ ଲଗାଯାଉଛି । ସ୍ଥାନୀୟ ବିଧାୟକ ସ୍ଥାନୀୟ ସମସ୍ୟା ଉଠାଇବା ଏବଂ ଅନ୍ୟାୟ ଅନୀତି ବିରୁଦ୍ଧରେ ପ୍ରତିବାଦ କଲେ ସରକାରୀ ଦଳ ନାଲି ଆଖି ଦେଖାଇବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାସ କହିଛନ୍ତି । ଏସିଏଫ ସୋମ୍ୟରଂଜନ ମୃତ୍ୟୁ ମାମଲା ପରେ ଦାଖଲ କରାଯାଇଥିବା ଏତଲାରେ ମୁଦାଲା ମାନଙ୍କୁ ପୁଲିସ କିମ୍ବା କ୍ରାଇମବ୍ରାଂଚ ପଚାରଉଚରା କରୁନାହିଁ । ଏହି କଥା ଉଠାଇବା ପରେ ରାଜ୍ୟ ସରକାର ଜାଣିଶୁଣି ମୋତେ ଦୋଷୀ ସାବ୍ୟସ୍ତ କରିବା ଏବଂ ମୋର ଛବିକୁ ଖରାପ କରିବା ପାଇଁ ଅପପ୍ରୟାସ କରୁଛନ୍ତି । ଗଜପତି ଜିଲ୍ଲା ଖଣିଜ ସଂପଦ ରପ୍ତାନୀ କରିବାରେ ଏକ ନମ୍ବରରେ ରହିଛି । ଡିଏଫଓଙ୍କ ମାଧ୍ୟମରେ ରକ୍ତ
ଚନ୍ଦନ କାଠ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁକୁ ଚୋରା ଚାଲାଣ କରାଯାଉଛି । ସେହିପରି ଶାସକ ବିଜେଡି ଦଳର ଜିଲ୍ଲା ଯୁବ ସଭାପତି ଏସ୍ ଲିଙ୍ଗରାଜ ବାଲି ଚୋରା ଚାଲଣ କରି ପଡୋଶୀ ରାଜ୍ୟକୁ ବିକ୍ରି କରନ୍ତି । ଚୋରା ଚାଲଣ କରୁଥିବାରୁ ଆନ୍ଧ୍ରରେ ତାଙ୍କ ନାଁରେ ଏକ କେସ୍ ରୁଜୁ ହୋଇଛି । କାଶୀନଗର ଏନଏସିର ପୂର୍ବତନ ଚେୟାରମ୍ୟାନଙ୍କ ପୁଅ ଏମ ପ୍ରବୀଣ କୁମାର ବି ହଜାର ହଜାର ଟ୍ରକ ବାଲି ଆନ୍ଧ୍ରକୁ ପଠାନ୍ତି । ସେହି ଫଟୋକୁ ଏଡିଟିଂ କରି ମୋର ନାଁରେ ଶାସକ ଦଳ ମତେ ବଦନାମ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଗଜପତି ବିଧାୟକ କେ. ନାରାୟଣ ରାଓ ଅଭିଯୋଗ କରିଛନ୍ତି । ଏପରିକି ମୋତେ ଦୋଷୀ ବୋଲି ଆକ୍ଷେପ କରାଯାଉଥିବାରୁ ମୋ ନାଁ ରେ ଏତଲା ରୁଜୁ କରି ତଦନ୍ତ କରିବା ପାଇଁ ଖୋଲା ଚ୍ୟାଲେଂଜ ଦେଇଛନ୍ତି ବିଧାୟକ କେ. ନାରାୟଣ ରାଓ । ବାଲି ଚୋରା ଚାଲଣରେ ଯେ କୌଣସି ବ୍ୟକ୍ତିର ସଂପୃକ୍ତି ରହିଛି ସେମାନଙ୍କୁ ତଦନ୍ତ ପରିସରଭୃକ୍ତ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଗଣମାଧ୍ୟମକୁ ମୋ ବିରୁଦ୍ଧରେ ବିବୃତି ଦେଇଥିବା କେ. ଆପାରାଓ, ଜି. ତିରୁପତି ରାଓ ବାଲି ଚୋରା ଚାଲଣକାରୀଙ୍କ ଠାରୁ ବଟି ଆଦାୟ କରନ୍ତି । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ କେସ୍ ଚାଲିଛି । ସେହିପରି ଗଜପତି ଜିଲ୍ଲାର ଏଡିମ ସଂଗ୍ରାମ କେଶରୀ ପଣ୍ଡା ପୂର୍ବରୁ ତଦସିଲଦାର, ବିଡିଓ, ଉପ ଜିଲ୍ଲାପାଳ, ଆରଟିଓ ଭାବେ ଗୋଟିଏ ଜିଲ୍ଲାରେ ବିଭିନ୍ନ ଦାୟୀତ୍ୱ ନେଇ ଆସିଛନ୍ତି । ଏହା କିପରି ସମ୍ଭବ ଏବଂ ଏହା ପଛରେ କେଉଁ କରିତକର୍ମାଙ୍କ ହାତ ରହିଛି ତାହା ତଦନ୍ତ ହେବା ଦରକାର । ଜିଲ୍ଲାର ଡିଆରଡିଓ ଅନାମ ଚରଣ ପାତ୍ର ମଧ୍ୟ ଭାବେ ଗୋଟିଏ ଜିଲ୍ଲାରେ ବିଭିନ୍ନ ଦାୟୀତ୍ୱ ନେଇ ଆସିଛନ୍ତି । ଏହି ଦୁଇ ଜଣ ସରକାରୀ ଅଧିକାରୀଙ୍କ ପୋତ୍ସାହନରେ ବିଜେଡି ନେତାମାନେ ମାଫିଆ ରାଜ ଚଲାଇଛନ୍ତି । ଅନ୍ୟପଟେ ଗଜପତି, କଲାହାଣ୍ଡି ଜିଲ୍ଲାର ବାଲି ଆନ୍ଧ୍ରକୁ ଚାଲାଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଉଛନ୍ତି ।
ତେବେ ବାଲି ମାଫିଆ କିଏ ସରକାର ତାହା ସ୍ପଷ୍ଟ କରନ୍ତୁ । ଏହା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖି ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ କାହିଁକି ବୋଲି ଶ୍ରୀ ରାଓ ପ୍ରଶ୍ନ କରିଛନ୍ତି । ରକ୍ତ ଚନ୍ଦନ କାଠ ଏବଂ ବାଲି ଚୋରା ଚାଲଣ କରୁଥିବା ମାଫିଆଙ୍କୁ ତୁରନ୍ତ ଗିରଫ କରାଯିବା ସହ ରାଜ୍ୟର ସଂପତିକୁ କିପରି ସୁରକ୍ଷିତ ରଖିହେବ ସେ ନେଇ ଉଚିତ୍ ପଦକ୍ଷେପ ନେବା ପାଇଁ ଶ୍ରୀ ରାଓ ପୁଣିଥରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଚନ୍ଦନ କାଠ ଚୋରି କରି ରାଜସ୍ୱ ଲୁଟ୍ କରୁଥିବା ଅଭିଯୁକ୍ତଙ୍କୁ ଲଘୁ ଖଣିଜ ଦ୍ରବ୍ୟ ଆଇନ ଅଧୀନରେ ଦଣ୍ଡିତ କରାଯାଉ ବୋଲି ଶ୍ରୀ ରାଓ ଦାବି କରିଛନ୍ତି ।

Spread the love