ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ଜାଣନ୍ତୁ କାହିଁକି

ମୁଖ୍ୟମନ୍ତ୍ରୀ ପଦରୁ ଉସ୍ତଫା ଦେଇଛନ୍ତି ବିଜୟ ରୂପାଣୀ । ରାଜ୍ୟପାଳଙ୍କ ନିକଟରୁ ଇସ୍ତଫା ପତ୍ର ପଠାଇଥିବା ନେଇ ସୂଚନା ମିଳିଛି । ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ମଧ୍ୟ ରାଜ୍ୟପାଳଙ୍କ ନିକଟକୁ ଯାଇଥିଲେ ।

ସୂଚନାଯୋଗ୍ୟ, ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର୍‌ ପାଟିଲଙ୍କ ସହିତମ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମତଭେଦ ଥିଲା । ଏହି କାରଣରୁ ସେ ଇସ୍ତଫା ଦେଇଥାଇପାରନ୍ତି ବୋଲି କୁହାଯାଉଛି । ଭାରତୀୟ ରାଜନୀତିରେ ଗୁଜୁରାଟ ଏକ ପ୍ରମୁଖ ରାଜ୍ୟ ହୋଇଥିବାରୁ ସମସ୍ତଙ୍କ ଫୋକସ୍‌ରେ ରହିଥାଏ ଗୁଜୁରାଟ । ଏବେ ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ରୂପାଣୀ ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜୟ ରୂପାଣୀ । ସେ କହିଛନ୍ତି, ‘ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ମୋତେ ଦାୟିତ୍ବ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞ । ସମୟ ଅନୁସାରେ କର୍ମୀଙ୍କ ଦାୟିତ୍ବ ପରିବର୍ତ୍ତନ କରେ ଦଳ । ସେହି ଅନୁସାରେ ଦଳ ମୋତେ ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ଦେଇଛି । ଆଗକୁ ଦଳ ଯେଉଁ ଦାୟିତ୍ବ ଦେବ ତାହା ପାଳନ କରିବି ।’

୨୦୧୬ ମସିହା ଅଗଷ୍ଟ ୭ ତାରିଖରୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ବିଜୟ ରୂପାଣୀ । ତେବେ ବିଜୟଙ୍କ ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ସସ୍‌ପେନ୍ସ ରହିଥିବା ବେଳେ କେନ୍ଦ୍ରୀୟ ରାଜନୀତିରେ ଏହାର ପ୍ରଭାବ ପଡିବା ଏକ ପ୍ରକାର ନିଶ୍ଚିତ । କାରଣ କେନ୍ଦ୍ରୀୟ ରାଜନୀତିରେ ଗୁଜୁରାଟ ସବୁବେଳେ ଫୋକସ୍‌ରେ ରହିଥାଏ । ଏହିଠାରୁ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବାପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଆନନ୍ଦୀବେନ୍‌ ପଟେଲ । ଏହାପରେ ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ଏପରିକି ଗୁଜୁରାଟରେ  ୨୦୧୭ ସାଧାରଣ ନିର୍ବାଚନ ପରେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା ।

Spread the love