ଆଲିଆଙ୍କ ନୂଆ ବିଜ୍ଞାପନକୁ ନେଇ ତେଜିଲା ବିବାଦ : ଟାର୍ଗେଟ୍‌ କଲେ କୁଇନ୍ …

ନୂଆଦିଲ୍ଲୀ ୨୨/୦୯: ବିଜ୍ଞାପନକୁ ନେଇ ପୁଣି ବିବାଦ। ଏଥର ବିବାଦ ଘେରରେ ଛନ୍ଦି ହୋଇଛନ୍ତି ବଲିଉଡ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ। ନିକଟରେ ସେ ଏକ ଫ୍ୟାଶନ ବ୍ରାଣ୍ଡ ପାଇଁ ବିଜ୍ଞାପନ ଶୁଟ୍ କରିଥିଲେ। ଏହି ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଟାର୍ଗେଟ କରିଛନ୍ତି। କିଛି ଲୋକ ଏହି ବିଜ୍ଞାପନକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଏହାକୁ ନେଇ ରାଗି ଯାଇଛନ୍ତି। ତେବେ ଏହି ଲିଷ୍ଟରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନାମ ମଧ୍ୟ ସାମିଲ ଅଛି।
ବାସ୍ତବରେ, ଆଲିଆ ‘ମୋହେ’ ଫ୍ୟାଶନ ବ୍ରାଣ୍ଡ ପାଇଁ ଏକ ବିବାହ ବିଜ୍ଞାପନ ଶୁଟ୍ କରିଥିଲେ। ଏହି ବିଜ୍ଞାପନରେ କଥିତ ରୂପେ ‘କନ୍ୟାଦାନ’ ପରମ୍ପରାକୁ ପରିବର୍ତ୍ତନ କରିବା ପାଇଁ ଆଲିଆ ଭଟ୍ଟ କହୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ କଙ୍ଗନା ରଣାୱତ ଏବେ ଟାର୍ଗେଟ କରି କହିଛନ୍ତି। କଙ୍ଗନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ନୋଟ୍‌ ସେୟାର କରିଛନ୍ତି।
ଏଥିରେ ସେ ବିଜ୍ଞାପନକୁ ନେଇ ଧର୍ମ ଏବଂ ସାଧାରଣ ଜନତାଙ୍କ ଭାବନା ସହ ନଖେଳିବା ପାଇଁ କହିଛନ୍ତି। ଏଥିସହ ସାମଗ୍ରୀ ବିକ୍ରି କରିବା ପାଇଁ ଧର୍ମ ଏବଂ ଅଳ୍ପସଂଖ୍ୟକ ଓ ବହୁସଂଖ୍ୟକ ରାଜନୀତିର ବ୍ୟବହାର ନକରିବାକୁ ସମସ୍ତ ବ୍ରାଣ୍ଡ ମାନଙ୍କୁ ନିବେଦନ କରିଛନ୍ତି। କଙ୍ଗନା ଏହି ବିଜ୍ଞାପନକୁ ନେଇ ସ୍ପଷ୍ଟ ଭାବେ କହିଛନ୍ତି କି ଯେ, ଯେଉଁ ଯବନାମାନେ ଦେଶ ପାଇଁ ସହୀଦ ହେଉଛନ୍ତି, ତାଙ୍କର ବାପା ମା’ ମଧ୍ୟ ନିଜ ପୁଅକୁ ଦେଶ ପାଇଁ ଦାନ କରୁଛନ୍ତି। କଙ୍ଗନାଙ୍କ ଏହି ପୋଷ୍ଟକୁ ଅନେକ ଲୋକେ ପ୍ରଶଂସା କରିଛନ୍ତି।
କିନ୍ତୁ ଏହି ବିଜ୍ଞାପନର ସମର୍ଥନରେ ବାହାରିଛନ୍ତି ଆର୍ଟ ଅଫ୍ ଲିଭିଂର ସଂସ୍ଥାପକ ତଥା ଧର୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର । ସେ ଏନେଇ ଏକ ସାକ୍ଷାତକାରରେ କହିଛନ୍ତି, କନ୍ୟା କୌଣସି ବସ୍ତୁ ନୁହେଁ, ଯାହାକୁ ଦାନ କରାଯିବ। ଏଥିସହ ବୈଦିକ ପରମ୍ପରାକୁ ନେଇ ମଧ୍ୟ ସେ ମତ ରଖିଛନ୍ତି। ସେ ‘କନ୍ୟାଦାନ’ ପ୍ରଥାକୁ ବନ୍ଦ କରିବା ଉଚିତ ବୋଲି କହିଛନ୍ତି। ‘ପାଣିଗ୍ରହଣର ପ୍ରାଚୀନ ବୈଦିକ ପରମ୍ପରା ବିଷୟରେ ମଧ୍ୟ ରବିଶଙ୍କର ନିଜ ସାକ୍ଷାତକରେ କହିଛନ୍ତି। ଏନେଇ ସେ ଆହୁରି କହିଛନ୍ତି, ‘କନ୍ୟାଦାନ’ ଶବ୍ଦକୁ ହଟାଇ ଦେବା ଉଚିତ। ଏହାକୁ ହଟାଇ ଦେଲେ ଆମର କୌଣସି ପ୍ରକରର ବୈଦିକ ସ୍ଥିତି ତଥା ସିଦ୍ଧାନ୍ତ ବା ଦର୍ଶନକୁ ହ୍ରାସ କରିବ ନାହିଁ।

ଗୋଟିଏ ପଟେ କିଛି ୟୁଜର୍ସ ଆଲିଆ ଭଟ୍ଟ ଏବଂ ମାନ୍ୟବର ମୋହେର ଏହି ବିଜ୍ଞାପନକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଏହା ଆଘାତ ଦେଇଥିବାର ଅଭିଯୋଗ କରିଛନ୍ତି ।

Spread the love