ପ୍ରସିଦ୍ଧ ଗାୟକ କେ.ଏଲ୍ ସେହଗଲଙ୍କ ସହ ଗୀତ ଗାଇବାକୁ ସ୍ୱପ୍ନ ଦେଖିଥିଲେ ଲତା, ଜନ୍ମ ଦିନରେ ପୂରଣ ହେଲା ଇଚ୍ଛା

ନୂଆଦିଲ୍ଲୀ ୨୮/୦୯: ସ୍ୱର ସାମ୍ରାଜ୍ଞୀ ‘ଭାରତ ରତ୍ନ ଗାୟିକା ଲତା ମଙ୍ଗେଶକରଙ୍କର ହିନ୍ଦୀ ସିନେମାରେ ଯେଉଁ ସ୍ଥାନ ରହିଛି, ସେଠାରେ ପହଞ୍ଚିବା ତ ଦୁରର କଥା ତାହାକୁ ଛୁଇଁବା ବି କାହା ପକ୍ଷରେ ସମ୍ଭବ ହୋଇନପାରେ। କିନ୍ତୁ ଲତା ନିଜେ ୩୦-୪୦ ଦଶକର ପ୍ରସିଦ୍ଧ ଗାୟକ କେ.ଏଲ୍ ସେହଗଲଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ। ଯାହାଙ୍କ ସହ ସେ ଗୀତ ଗାଇବାକୁ ସ୍ୱପ୍ନ ଦେଖୁଥିଲେ। କିନ୍ତୁ ଦୁଃଖର ବିଷୟ ଇଣ୍ଡଷ୍ଟ୍ରିରେ ସେ ଏଣ୍ଟ୍ରି କରିବା ବେଳକୁ ସହଗଲଏହି ଦୁନିଆକୁ ବିଦାୟ ଦେଇସାରିଥିଲେ। ଏତେ ବର୍ଷ ପରେ, ଆଜି ତାଙ୍କ ଜନ୍ମଦିନରେ, ତାଙ୍କର ଏହି ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ ହୋଇଛି।

ହିନ୍ଦୀ ସିନେମାର କୌଣସି ଗାୟକ ନାହାଁନ୍ତି ଯିଏକି ଲତାଙ୍କ ସହିତ ଏକ ଗୀତ ଗାଇବାକୁ ସ୍ୱପ୍ନ ଦେଖନ୍ତି ନାହିଁ । କିନ୍ତୁ ଲତା ନିଜେ ମହାନ ଗାୟକ କେ.ଏଲ୍ ସେହଗଲଙ୍କ ସହ ଏକ ଗୀତ ଗାଇବାକୁ ସ୍ୱପ୍ନ ଦେଖିଥିଲେ। ଆଜି ତାଙ୍କର ସ୍ୱପ୍ନ ସାକାର ହୋଇଛି। ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ କେ.ଏଲ୍ ସେହଗଲଙ୍କ ସହ ତାଙ୍କର ଗୀତ ରିଲିଜ୍ ହୋଇଛି। ଏହି କମାଲ ତାଙ୍କ ଭଣଜା ବାଇଜୁ ମଙ୍ଗେଶକର ଏବଂ ସଙ୍ଗୀତଜ୍ଞ ଜତିନ୍ ଶର୍ମା କରି ଦେଖାଇଛନ୍ତି। ବାଇଜୁ ମଙ୍ଗେଶକର ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଲତା ଏବଂ କେ.ଏଲ୍ ସେହଗଲଙ୍କ ସ୍ୱରକୁ ମିଶ୍ରଣ କରି ଏକ ଡୁଏଟ୍ ସୃଷ୍ଟି କରିବାର ଆଇଡିୟା ଦେଇଥିଲେ। ଯାହା ପରେ ଏହି ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିଲା। ଏହି ଗୀତଟି ହେଉଛି ‘ମେଁ କ୍ୟା ଜାନୁ କ୍ୟା ଯାଦୁ ହୈ! ..’

ରାତି ଅଧରେ ଯେତେବେଳେ ଲତାଙ୍କୁ ଏହି ଗୀତ ଦେଖାଗଲା, ସେ ବହୁତ ଖୁସି ହୋଇଗଲେ ଏବଂ ତାଙ୍କ ଆଖି ଲୁହରେ ଭରିଗଲା। ସେ ଏହାକୁ ତାଙ୍କ ଜୀବନର ସର୍ବୋତ୍ତମ ଉପହାର ବୋଲି କହିଛନ୍ତି।

Spread the love