ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ପ୍ରବଳରୁ ଅତିପ୍ରବଳ ହେବ ବର୍ଷା !

ଭୁବନେଶ୍ୱର ୨୯।୦୯:  ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ । ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା କରାଇବ। ଏହାଦ୍ବାରା ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ସ୍ଥିତି ମଧ୍ୟ ଉପୁଜିପାରେ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହାବ୍ୟତୀତ, ଅନୁଗୁଳ, ଯାଜପୁର, ବାଲେଶ୍ବର , ଭଦ୍ରକ, ଦେବଗଡ଼ ଓ ଢେଙ୍କାନାଳ ଆଦି ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବ। ୩୦ ତାରିଖ ଦିନ ବି ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବ। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୩୦ ତାରିଖ ଯାଏ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ସେହିପରି ଗୁରୁବାର ସକାଳୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ବଢ଼ିବ। ସାରା ରାଜ୍ୟରେ ବର୍ଷା ହେବ। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Spread the love