IPL 2021 : ଅକ୍ଷର ଓ ଅବେସ୍‌ଙ୍କ ଘାତକ ବୋଲିଂ ଆଗରେ ଫେଲ ମାରିଲେ ମୁମ୍ବାଇ ବ୍ୟାଟ୍ସମ୍ୟାନ୍‌, ଦିଲ୍ଲୀକୁ ବିଜୟ ଲକ୍ଷ୍ୟ

ଶାରଜାହ ୦୨/୧୦ : ଇଣ୍ଡିଆନ ପ୍ରିମିୟର ଲିଗ IPLର ୪୬ ତମ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୨୯ ରନ ସଂଗ୍ରହ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଓପନର ଅଧିନାୟକ ରୋହିତ ଶର୍ମା ଏବଂ କ୍ବିଣ୍ଟନ୍‌ ଡି’ କକ୍‌ ନିରାଶ କରିଛନ୍ତି । ରୋହିତ ମାତ୍ର ୭ ରନ କରି ଆଉଟ ହୋଇଥିବା ବେଳେ ଡି କକ୍‌(୧୯ରନ) ବଡ ପାଳି ଖେଳିବାକୁ ବିଫଳ ହୋଇଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟ ଖେଳାଳିମାନେ ମଧ୍ୟ ବଡ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ଫାଷ୍ଟ ଡାଉନ୍‌ ସୂର୍ଯ୍ୟକୁମାର ଯାଦବ ସମ୍ମାନଜନକ ସ୍କୋର କରିଛନ୍ତି । ୨୬ ବଲ ଖେଳି ୨ ଚୌକା ଏବଂ ୨ ଛକା ସହାୟତାରେ ୩୩ ରନ କରି ଆଉଟ ହୋଇଛନ୍ତି । ସେହିଭଳି ସୌରଭ ତିଓ୍ବାରୀ ୧୫ରନ, କିରନ ପୋଲାର୍ଡ ୬, ହାର୍ଦ୍ଧିକ ପାଣ୍ଡ୍ୟା​‌ ୧୭ ରନ, ନାଥାନ୍‌ କ୍ବିଲ୍ଟର ନାଇଲ୍‌ ୧ରନ, ଜୟନ୍ତ ଯାଦବ ୧୧ ରନ କରି ଆଉଟ ହୋଇଛନ୍ତି । କ୍ରୁନାଲ ପାଣ୍ଡ୍ୟା ୧୩ ରନ ଏବଂ ଜଶପ୍ରୀତ ବୁମରାହ ୧ ରନ କରି ଅପରାଜିତ ଅଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସର ବୋଲରମାନେ ଆରମ୍ଭରୁ ହିଁ ମୁମ୍ବାଇ ବ୍ୟାଟ୍ସମ୍ୟାନମାନଙ୍କୁ ହାତ ଖୋଲା ସଟ୍‌ ଖେଳିବାକୁ ଦେଇନଥିଲେ । କ୍ୟାପିଟାଲ୍ସର ଶାଣିତ ବୋଲିଂ ସାମ୍ନାରେ ହାରମାନିଛି ମୁମ୍ବାଇ । ଦିଲ୍ଲୀ ପକ୍ଷରୁ ଅବେସ୍‌ ଖାନ ଏବଂ ଅକ୍ଷର ପଟେଲ ଚମତ୍କାର ବୋଲିଂ କରିଛନ୍ତି । ଅବେସ୍‌ ଖାନ ୪ ଓଭରରେ ମାତ୍ର ୧୫ ରନ ଦେଇ ୩ ଟି ଓ୍ବିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୪ ଓଭରରେ ୨୧ ରନ ୩ ଓ୍ବିକେଟ ନେଇଛନ୍ତି । ସେହିଭଳି ଏନ୍‌ରିଚ୍‌ ନୋର୍ଟଜେ ମାପିଚୁପି ବୋଲିଂକରି ୪ ଓଭରରେ ୧୯ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, କାଗିସୋ ରାବାଡା ୪ ଓଭରରେ ୩୩ ରନ, ଏବଂ ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୪୧ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

Spread the love