ଯୁବ ସାମ୍ବାଦିକ ସତ୍ୟଜିତ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ପରଲୋକରେ ଯୁବ ସାମ୍ବାଦିକ ସତ୍ୟଜିତ ମହାପାତ୍ର । କୋଭିଡରେ ସଂକ୍ରମିତ ହୋଇ ୪୪ ବର୍ଷ ବୟସରେ ଆଖି ବୁଜିଛନ୍ତି ସତ୍ୟଜିତ । ଇଂରାଜୀ ଦୈନିକ ଖବର କାଗଜ ଦ କମନ ଟାଇମ୍ସର ସମ୍ପାଦକ ଭାର ତୁଲାଇଥିଲେ ସତ୍ୟଜିତ ମହାପାତ୍ର । କୋଭିଡ଼ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ମାସେ ହେଲା ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମ ନେଇଥିଲେ ସତ୍ୟଜିତ। ଭୁବନେଶ୍ବରର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ପରେ ସାମ୍ବାଦିକତାକୁ ପେଶା ଭାବେ ଆପଣାଇନେଲେ । ଏବେ ଭୁବନେଶ୍ୱରରୁ ପ୍ରକାଶିତ ‘ଦ କମନ ଟାଇମ୍ସ’ ଇଂରାଜୀ ଖବରକାଗଜର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ସତ୍ୟଜିତ। ଗତ କିଛି ମାସ ତଳେ ସତ୍ୟଜିତ ଓ ତାଙ୍କ ପତ୍ନୀ ଭୁବନେଶ୍ବରରେ କରୋନା ଟୀକାର ଦୁଇଟି ଯାକ ଡୋଜ ନେଇଥିଲେ l ତେବେ ଉଭୟ ମାସେ ତଳେ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ନିକଟରେ ତାଙ୍କ ସ୍ତ୍ରୀ ମଧ୍ୟ କୋଭିଡରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଥିଲେ।ମାତ୍ର ସତ୍ୟଜିତଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସତ୍ୟଜିତଙ୍କ ଫୁସଫୁସ ଅଧିକ ଆକ୍ରାନ୍ତ ହୋଇଥିବାରୁ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା l ତେବେ ଡାକ୍ତର ନର୍ସଙ୍କ ସମସ୍ତ ଚେଷ୍ଟା ଆଜି ବିଫଳ ହୋଇଥିଲା। ସତ୍ୟଜିତଙ୍କ ଦେହାନ୍ତରେ ସାମ୍ବାଦିକ ଜଗତ ଓ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Spread the love