ପ୍ରିୟଙ୍କାଙ୍କ ଗିରଫ ପରେ ରାହୁଲଙ୍କୁ ଭେଟିଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ ୫।୧୦: ଉତ୍ତରପ୍ରଦେଶ ସୀତାପୁରରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଗତ ୩୬ ଘଣ୍ଟା ହେଲା ହାଉସ୍ ଆରେଷ୍ଟରେ ଅଛନ୍ତି। ଘଟଣାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ ସାଂସଦ ତଥା ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ତେବେ ରାହୁଲଙ୍କୁ ଭେଟିବାକୁ ଯିବା ବେଳେ ଏହି ସମୟରେ ତାଙ୍କୁ ଭେଟିବା ବହୁତ ଜରୁରି ବୋଲି ରାଉତ ଗଣମାଧ୍ୟମକୁ କହିଛନ୍ତି।
ସେ କହିଛନ୍ତି ଯେ ଯଦି ଆଇନ ସମସ୍ତଙ୍କ ଲାଗି ସମାନ ତେବେ ଦୋଷୀ ମନ୍ତ୍ରୀ ଖୁଲମ ଖୁଲା ବୁଲୁଥିବା ବେଳେ ପ୍ରିୟଙ୍କା କାହିଁକି ଜେଲରେ? ଏହା ଉପରେ ଚର୍ଚ୍ଚା ହେବା ଜରୁରି। ସେପଟେ ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ମଧ୍ୟ ରାହୁଲଙ୍କୁ ଭେଟିବା ଲାଗି ତାଙ୍କ ଆବାସରେ ପହଞ୍ଚିଛନ୍ତି। ତେବେ ବିରୋଧୀଙ୍କ ଏକ ପ୍ରତିନିଧି ମଣ୍ଡଳ ଲକ୍ଷ୍ମୀପୁର ଖୀରି ଗସ୍ତ କରିବେ କି ବୋଲି ରାଉତଙ୍କୁ ପଚରା ଯିବାରୁ ଏ ନେଇ ଆଲୋଚନା ହୋଇଥିବା କହିଛନ୍ତି।
ଉଲ୍ଲେଖ ଯୋଗ୍ୟଯେ ପ୍ରିୟଙ୍କା ଗାନ୍ଧିଙ୍କୁ ଉତ୍ତରପ୍ରଦେଶ ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୪୪ ଉଲ୍ଲଂଘନ ସମେତ ଶାନ୍ତି ଭଙ୍ଗ ସମ୍ପର୍କିତ ବିଭିନ୍ନ ଧାରାରେ ଗିରଫ କରିଛି। ତେବେ ଏହା ପୂର୍ବରୁ ପ୍ରିୟଙ୍କା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଲକ୍ଷ୍ମୀପୁର ଖୀରି ହିଂସାକାଣ୍ଡର ଏକ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଥିଲେ। ତେବେ ହୁଏତ ପୋଲିସ ତାଙ୍କୁ ଗିରଫ କରିପାରେ ହେଲେ ସେ ମୃତ ଚାଷୀଙ୍କ ପରିବାରକୁ ନ ଭେଟି ଫେରିବେନି ବୋଲି ଉଲ୍ଲେଖ କରିଥିଲେ।
ସେପଟେ ହରଗାଓଁ ଥାନା ଓଏସଏଚ କହିଛନ୍ତି ଯେ କେବଳ ପ୍ରିୟଙ୍କା ନୁହନ୍ତି ସାଂସଦ ଦୀପେନ୍ଦ୍ର ସିଂହ ହୁଡ୍ଡା ଓ ପ୍ରଦେସ କଂଗ୍ରେସ ସଭାପତି ଅଜୟ କୁମାର ଲଲ୍ଲୁଙ୍କ ସମେତ ୧୧ ଜଣଙ୍କ ବିରୋଧରେ ପୋଲିସ ଶାନ୍ତି ଭଙ୍ଗ ଅଭିଯୋଗରେ ବିଭିନ୍ନ ଧାରାରେ ମୋକଦ୍ଦମା ରୁଜୁ କରିଛି। ତେବେ ଏହା ପୂର୍ବରୁ ପ୍ରିୟଙ୍କା ତାଙ୍କ ଟ୍ୱିଟରରେ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଲ୍ଲେଖ କରିଥିଲେ ଯେ ଏହି ଭିଡିଓ ଆପଣଙ୍କ ସରକାରର ଜଣେ ମନ୍ତ୍ରୀର ପୁଅ ଚାଷୀଙ୍କୁ ଗାଡି ଚଢାଇ ହତ୍ୟା କରିଛି। ଭଡିଓକୁ ଦେଖନ୍ତୁ ଓ ଦେଶବାସୀଙ୍କୁ ଜବାବ ଦିଅନ୍ତୁ ସମ୍ପୃକ୍ତ ମନ୍ତ୍ରୀ ବରଖାସ୍ତ ହୋଇନାହାନ୍ତି କହିଁକି ?କାହିଁକି ଗିରଫ ହୋଇନି ତାଙ୍କ ପୁଅ ?

Spread the love