ଆଖି ବୁଜିଲେ ରାବଣ ! ରିୟଲରେ ରାମଭକ୍ତ

ଦୂରଦର୍ଶନରେ ପ୍ରସାରିତ ହେଉଥିବା ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣରେ ରାବଣ ଚରିତ୍ରରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ହୋଇଛି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଅରବିନ୍ଦ ୮୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି(ବୁଧବାର) ମୁମ୍ବାଇର ଦହାନୁକରୱାଡି ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ବିୟୋଗରେ କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ ଅନୁସାରେ,ଏହି ବର୍ଷିୟାନ ଅଭିନେତାଙ୍କ କିଛି ଦିନ ହେବ ସ୍ବାସ୍ଥ୍ୟ ଭଲ ନଥିଲା । ହୃଦଘାତ ଓ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ ଅରବିନ୍ଦ । ୪୦ ବର୍ଷ ଧରି ଟିଭି ଓ ଫିଲ୍ମ ଜଗତରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ ସେ । ଅରବିନ୍ଦ ତ୍ରିବେଦୀ ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରରେ ଜନ୍ମଗ୍ରହଣ କରିଥିଲେ। ଗୁଜୁରାଟର ରଙ୍ଗମଞ୍ଚରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ହିନ୍ଦୀ ଓ ଗୁଜୁରାଟୀକୁ ମିଶାଇ ପାଖାପାଖି ୩୦୦ ଫିଲ୍ମରେ ନିଜ ଅଭିନୟର ଛାପ ଛାଡିଛନ୍ତି ଅରବିନ୍ଦ । ରାମାୟଣର ରାବଣ ଚରିତ୍ର ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା । ଉଚ୍ଚକୋଟୀର ଅଭିନୟ ଯୋଗୁଁ ସେ ଦର୍ଶକମାନଙ୍କ ମନରେ ନିଜ ଛାପ ଛାଡ଼ି ଯାଇଛନ୍ତି । ତେବେ ପ୍ରଥମରୁ ଅରବିନ୍ଦଙ୍କୁ ରାବଣ ଭୂମିକା ପସନ୍ଦ ନଥିଲା କାରଣ ସେ ବାସ୍ତବ ଜୀବନରେ ଜଣେ ରାମଭକ୍ତ ଥିଲେ । ଅରବିନ୍ଦ ଯେତେବେଳେ ସୁଟିଂ ସେଟକୁ ଯାଉଥିଲେ ଉପାସ ରହୁଥିଲେ, ସୁଟିଂ ଶେଷ ହେବା ପରେ ସେ ଖାଉଥିଲେ। ରାମାୟଣର ସୁଟିଂ ସେଟକୁ ଯିବା ପୂର୍ବରୁ ପ୍ରଭୁ ରାମଙ୍କୁ ପୂଜା କରି କ୍ଷମା ମାଗୁଥିଲେ ଅରବିନ୍ଦ ।

ଖାଲି ସେତିକି ନୁହେଁ ବିକ୍ରମ ବେତାଳରେ ମଧ୍ୟ ଅଭିନୟ କରିଛନ୍ତି ସେ । ଏହା ସହିତ ଅନେକ ସାମାଜିକ ଓ ପୌରାଣିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ଗୁଜୁରାଟୀ ଚଳଚ୍ଚିତ୍ର ‘ମାତେମା ବିଜା ଭଗଦାନ ଭା’ରେ ଅଭିନୟ କରିଥିଲେ, ଯାହା ତାଙ୍କର ଶେଷ ଚଳଚ୍ଚିତ୍ର । ସର୍ବଶ୍ରେଷ୍ଠ ଅଭିନୟ ପାଇଁ ଗୁଜୁରାଟ ସରକାରଙ୍କ ଦ୍ବାରା ସେ ସାତୋଟି ପୁରସ୍କାର ପାଇଛନ୍ତି । ୨୦୦୨ରେ ସେ ସେଣ୍ଟ୍ରାଲ ବୋର୍ଡ ଫର ଫିଲ୍ମ ସାର୍ଟିଫିକେଶନର ଆକ୍ଟିଂ ଚେୟାରମ୍ୟାନ ହୋଇଥିଲେ। ଜଣେ ସଫଳ ଅଭିନେତା ସହିତ ସେ ୧୯୯୧ରୁ ୧୯୯୬ ଯାଏଁ ସଂସଦରେ ସଦସ୍ୟ ଥିଲେ । ସାବରକଥା ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚିତ ହୋଇଥିଲେ ।

Spread the love