ଇନ୍ଧନ ଓ ଖାଇବା ତେଲ ପରେ ଏବେ କନ୍ଦାଇବ ପିଆଜ, ଦୀପାବଳି ପରେ ବଢିବ ଦାମ୍

ନୂଆଦିଲ୍ଲୀ : ଇନ୍ଧନ, ଖାଇବା ତେଲ ଏବଂ  ପନିପରିବା ମହଙ୍ଗା ମାଡରେ ଜନତା  ବେହାଲ। ଜନତାଙ୍କ କଷ୍ଟ ଏତିକିରେ ସରୁନାହିଁ, ଆଗକୁ ଆହୁରି କନ୍ଦାଇବାକୁ ଆସୁଛି ପିଆଜ। ଯଦି ଆଗାମୀ ସମୟରେ ଅନିୟମିତ ବର୍ଷା ଜାରି ରହେ ତେବେ ପିଆଜ ମୂଲ୍ୟ ବଢିପାରେ।

ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଦୀପାବଳି ପର୍ଯ୍ୟନ୍ତ ପିଆଜ ଦର ସ୍ଥିର ରହିବାର ସମ୍ଭାବନା ରହିଛି। କିନ୍ତୁ ଦୀପାବଳି ପରେ ଦର ବୃଦ୍ଧି ଘଟିପାରେ। ବ୍ୟବସାୟିକଙ୍କ ଅନୁଯାୟୀ, ଅନିୟମିତ ବର୍ଷା ଏବଂ ଆର୍ଦ୍ରତା କାରଣରୁ ପିଆଜ ଦର ପ୍ରଭାବିତ ହୋଇପାରେ। ଯଦି ଆଗାମୀ ଦିନରେ ପାଣିପାଗ ଖରାପ ରହେ ତେବେ ପିଆଜ ଦାମ୍ବଢିବାର ଯଥେଷ୍ଟ ସମ୍ଭାବନା ରହିଛି। ପାଣିପାଗ ଅନୁକୂଳ ରହିଲେ ଦୀପାବଳି ପର୍ଯ୍ୟନ୍ତ ଦାମ୍ ସ୍ଥିର ରହିପାରେ।

ବର୍ତ୍ତମାନ ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଅନେକ ମହାନଗରରେ ପିଆଜ କିଲୋ ପିଛା ୬୦ ଟଙ୍କା ରହିଛି। ଭୁବନେଶ୍ଵରର ବିଭିନ୍ନ ବଜାରରେ ପିଆଜ କିଲୋ ପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଗତ ଗୋଟିଏ ମାସରେ ପିଆଜ ଦାମ ବୃଦ୍ଧି ଘଟିଛି। ନାସିକର ଲାସଲଗାଓଁ ବଜାରରେ ପିଆଜର ହୋଲସେଲ୍ ମୂଲ୍ୟ କିଲୋ ପିଛା ସେପ୍ଟେମ୍ବର ୧୬ରେ ୧୪.୭୫  ଟଙ୍କା ରହିଥିଲା, ଯାହା ଏବେ ବଢି ଅକ୍ଟୋବର ୧୬ ବେଳକୁ ୩୩.୩୦ ଟଙ୍କାରେ ପହଞ୍ଚିଛି।

ଖାଦ୍ୟ, ସାର୍ବଜନୀନ ବିତରଣ ଏବଂ ଉପଭୋକ୍ତା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ଏକ ମାସରେ ପିଆଜ ଓ ଟମାଟରର ଖୁଚୁରା ମୂଲ୍ୟ ଅହେତୁକ ବୃଦ୍ଧି ଘଟିଛି। ଦିଲ୍ଲୀରେ ପିଆଜର ଦାମ୍ ସେପ୍ଟେମ୍ବରରେ କିଲୋ ପିଛା ୩୩ ଟଙ୍କା ଥିଲା ଯାହା ଏବେ ବଢି ୪୭ ଟଙ୍କାରେ ପହଞ୍ଚିଛି। ଟମାଟରର ମଧ୍ୟ ସେହି ସମାନ ଅବସ୍ଥା। ଏକ ମାସ ପୂର୍ବେ କିଲୋ ପ୍ରତି ୨୮ ଟଙ୍କାରେ ବିକ୍ରି  ହେଉଥିବା ଟମାଟରର ପାଖାପାଖି ୬୦ ଟଙ୍କାରେ ବିକ୍ରି ହେଉଛି।

Spread the love