ଅପରାଧ ସାମ୍ରାଜ୍ୟ ଉପରେ ପରଦା ପକାଇବା ପାଇଁ ହିଂସାର ଆଶ୍ରୟ ନେଉଛି ବିଜେଡି: ଗୋଲକ ମହାପାତ୍ର

ଭୁବନେଶ୍ୱର,ତା.୨୨/୧୦: ରାଜ୍ୟରେ ସ୍ୱାସ୍ଥ୍ୟସେବାର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ । ବାସ୍ତବ କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କାର୍ଡର କୈାଣସି ପ୍ରସଙ୍ଗିକତା ନଥିବାରୁ ସରଳ ରାଜ୍ୟବାସୀ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଛନ୍ତି । ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଣୟନ କରାଯାଇଥିବା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ‘ପୁସିଙ୍ଗ କାର୍ଡ’ ସଦୃଶ । ଏହି ମୁଲ୍ୟହୀନ ‘ପୁସିଙ୍ଗ କାର୍ଡ’ର ବଂଟନ ପାଇଁ ମୁଖ୍ୟମନ୍ତ୍ରୀ ଆଜି ମୟୁରଭଂଜ ଗସ୍ତ କରିଛନ୍ତି । ଅନ୍ୟ ପଟେ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅପମାନିତ କରିବାକୁ ଯାଇ ଶାସକ ବିଜେଡି ସମସ୍ତ ପ୍ରକାରର ଅଗଣତାନ୍ତ୍ରୀକ ପନ୍ଥାକୁ ଆପଣାଇବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ମୟୁରଭଂଜ ଗସ୍ତ ଅବସରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାରୁ ନିର୍ବାଚିତ ଜନ ପ୍ରତିନିଧିମାନେ ଉପସ୍ଥିତ ରହିବା କଥା । ମାତ୍ର ମୟୁରଭଂଜ ଜିଲ୍ଲାର ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ଅଧିକାଂବ୍ୱ୍‌କ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଜନପ୍ରତିନିଧିମାନେ ଭାରତୀୟ ଜନତା ପାର୍ଟୀର ହୋଇଥିବା କାରଣରୁ ଜାଣିଶୁଣି ଅଭିସନ୍ଧମୁଳକ ଭାବେ ସରକାରୀ କାର୍ଯ୍ୟକ୍ରମରୁ ଦୁରେଇ ରଖାଗଲା । ବାରିପଦାରେ ବିଜେପି ମହିଳା କାର୍ଯ୍ୟକର୍ତାଙ୍କୁ ପ୍ରବେଶ କରିବାକୁ ବିରୋଧ କରାଯାଇଥିବାବେଳେ ଅନ୍ୟ ପଟେ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରାଯାଇଛି । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଜନତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ଅତ୍ୟନ୍ତ ଦୁଃଖଦାୟକ । ଅପରାଧ ସାମ୍ରାଜ୍ୟ ଉପରେ ପରଦା ପକାଇବା ପାଇଁ ଶାସକ ବିଜେଡି ହିଂସାର ଆଶ୍ରୟ ନେଉଛି । ଏହି ଘଟଣାକୁ ବିରୋଧ କରାଯିବାରୁ ଶାସକ ବିଜେଡି ହିଂସାର ଆଶ୍ରୟ ନେଇଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମୟୁରଭଂଜ ଜିଲ୍ଲାରେ ଶାସକ ବିଜେଡିର କାର୍ଯ୍ୟକର୍ତାମାନଙ୍କ ଦ୍ୱାରା ବିଜେପି କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ତାଙ୍କ ଦୋ ମୁହାଁ ଚରିତ୍ରର ଖୁଲାସା କରିଛି । ସେହିପରି ଆଜି କଟକ ଜିଲ୍ଲା ବଡମ୍ବାଠାରେ ମଧ୍ୟ ଶାସକ ବିଜେଡିର କାର୍ଯ୍ୟକର୍ତାମାନେ ବିଜେପି କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୂବନେଶ୍ୱରରେ ବସି ଅହିଂସାର ନାଟକ କରୁଛନ୍ତି, ମାତ୍ର ରାଜ୍ୟ ସାରା ବୁଲି ବୁଲି ଶାସକ ବିଜେଡି ହିଂସାର ତାଣ୍ଡବ କରୁଛି । ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ପାଇଁ ବାରମ୍ବାର ଦାବୀ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବିଜୁ ଜନତା ଦଳର ଏଭଳି ଆଚରଣ ଆଦୈା ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଆଜି ବାରିପଦା, ବଡମ୍ବାଠାରେ ଯେଉଁ ମାନେ ବିଜେପି କାର୍ଯ୍ୟକର୍ତାମାନଙ୍କୁ ମରଣାନ୍ତକ ଆକ୍ରମଣ କରି ମାରି ଦେବାର ପ୍ରୟାସ କରିଛନ୍ତି, ସେମାନଙ୍କୁ ପୋଲିସ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୁଳକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ନଚେତ୍ ଆଗାମୀ ଦିନରେ ହିଂସ୍ର ଶାସକ ବିଜେଡି ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଉପସ୍ଥିତ ଥିଲେ ।

Spread the love