ବିଜେପୁରରେ ହେବ ଉପନିର୍ବାଚନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡିଛନ୍ତି । ଏହି ଆସନରୁ ବିଜେପୁର ପୂର୍ବତନ ବିଧାୟିକା ରିତା ସାହୁଙ୍କୁ ପୁଣିଥରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ମିଳିବ ତାହା ସ୍ପଷ୍ଟ ହୋଇଯାଇଛି । ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସି ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଥିଲେ । କାରଣ ଅନେକ ବର୍ଷ ହେଲା ପଶ୍ଚିମ ଓଡ଼ିଶାରୁ ନିର୍ବାଚିତ ହୋଇ କେହି ମୁଖ୍ୟମନ୍ତ୍ରୀ ହୋଇନଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ବିଜେପୁର ଓ ନିଜ ପୂର୍ବ ନିର୍ବାଚନ ମଣ୍ଡଳୀ ହିଞ୍ଜଳିରୁ ନିର୍ବାଚନ ଲଢ଼ିଥିଲେ । ମାତ୍ର ଉଭୟ ସ୍ଥାନରୁ ନବୀନ ବିଜୟଲାଭ କରିବା ପରେ ତାଙ୍କୁ ଗୋଟିଏ ସ୍ଥାନ ଛାଡିବାକୁ ପଡିଥିଲା । ତେଣୁ ମୁଖ୍ୟମନ୍ତ୍ରୀ ବିଜେପୁର ପୂର୍ବତନ ବିଧାୟକ ରିତା ସାହୁଙ୍କ ପାଇଁ ଏହି ଆସନକୁ ଛାଡିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ବିଜେପୁର ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେହିଦିନ ଠାରୁ ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ନେଇ ଚର୍ଚ୍ଚା ଲାଗିରହିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଅନୁଯାୟୀ ବିଜେପୁରରେ ଥିବା ୩୪ ହଜାର କଚା ଘର ପକ୍କା ଘର କରାଯିବ । ଏଥିସହ ବରଗଡ଼ ଜିଲ୍ଲାରେ ୧୧୨୦ କୋଟିର ୨ଟି ପାନୀୟ ଜଳ ପ୍ରକଳ୍ପ ଘୋଷଣା କରାଯାଇଛି । ଦୁଇ ବର୍ଷ ଭିତରେ ବିଜେପୁର ଅଞ୍ଚଳର ପ୍ରତି ଘରକୁ ପାଇପ ଜଳ ଯୋଗାଣ ହେବ । ସେହିପରି ଗାଇସିଲଟ ବ୍ଲକ୍‌ରେ ୪୮ କୋଟି ବ୍ୟୟରେ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ସହ ଓ ୩ ହଜାର ଏକର ଜମି ଜଳସେଚିତ ହେବ । ଏହାସହ ୯ଟି ନଦୀ ଉଠା ଜଳସେଚନ ପ୍ରକଳ୍ପ ଓ ୩ ହଜାର ଡିପ୍ ବୋରୱେଲ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Spread the love