ରାସ୍ତାରେ ପଡ଼ିଥିବା ହଳଦିଆ, ଧଳା ରେଖା କଣ ପାଇଁ ଥାଏ ଜାଣନ୍ତି କି?

ଏବେ ସବୁ ଆଡେ ପିଚୁରେ ତିଆରି ପକା ରାସ୍ତା। ତେବେ ରାସ୍ତାରେ ଯିବାବେଳେ, ଆପଣଙ୍କ ଲକ୍ଷ୍ୟ ନିଶ୍ଚିତ ଭାବରେ ସେଥିରେ ପଡ଼ିଥିବା ଧଳା ଏବଂ ହଳଦିଆ ଗାର ଉପରେ କେବେନା କେବେ ପଡ଼ିଥିବ। କେଉଁଠି କେଉଁଠି ଏହି ରେଖାଗୁଡ଼ିକ ସିଧା ଲାଇନରେ ଥିବାବେଳେ ଆଉ କେଉଁଠାରେ ସେଗୁଡ଼ ଖଣ୍ଡ ଖଣ୍ଡ ହୋଇ ରହିଥାଏ। ତେବେ ହୁଏତ ଆପଣ ଏହାକୁ ଦେଖି ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହି ଷ୍ଟ୍ରିପ୍ ରାସ୍ତାକୁ ଦୁଇ ଭାଗରେ ବିଭକ୍ତ କରିବା ପାଇଁ ଦିଆଯାଇଥିବ, ତେବେ ଆପଣ ଠିକ୍ ଚିନ୍ତା କରୁଛନ୍ତି। କିନ୍ତୁ ଏହି ଗାରଗୁଡିକ କେବଳ ଯେ ରାସ୍ତାକୁ ଦୁଇ ଭାଗରେ ବିଭକ୍ତ କରିବା କାମ କରେ ତାହା ନୁହେଁ, ଏହାର ଆହୁରି ଅନେ ଅର୍ଥ ମଧ୍ୟ ରହିଛି। ଯାହାକୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ। ତେବେ ଚାଲନ୍ତୁ ଜାଣିବା ରାସ୍ତାରେ ପଡ଼ିଥିବା ସେହି ଗାରଗୁଡ଼ିକ କଣ ସବୁ ସୂଚନା ଦିଏ…

ରାସ୍ତାରେ ପଡ଼ିଥିବା ସିଧା ଧଳା ରଙ୍ଗର ଅର୍ଥ ହେଉଛି ଆପଣ ଯେଉଁ ଲେନରେ ଯାଉଛନ୍ତି ସେଥିରେ ହିଁ ଚାଲନ୍ତୁ। ଆପଣଙ୍କୁ ଅନ୍ୟ ଲେନ୍ କୁ ଆଦୌ ଯିବା ଦରକାର ନାହିଁ।ସେହିଭଳି ରାସ୍ତାରେ ଖଣ୍ଡ ଖଣ୍ଡ ଧଳା ରଙ୍ଗର ଗାର ଗୁଡ଼ିକର ଅର୍ଥ ହେଉଛି ଆପଣ ଲେନ ବଦଳାଇ ପାରିବେ, କିନ୍ତୁ ସତର୍କତାର ସହିତ ଏବଂ ଅନ୍ୟ ଗାଡ଼ିକୁ ଇଣ୍ଡିକେଟର ଦେଖାଇ।

ଯଦି ଆପଣ ରାସ୍ତାରେ ଏକ ସିଧା ହଳଦିଆ ରଙ୍ଗର ଗାର ଦେଖନ୍ତି, ତେବେ ବୁଝିଯାନ୍ତୁ ଯେ ଆପଣ ଅନ୍ୟ ଗାଡିକୁ ଓଭର ଟେକ୍ କରିପାରିବେ, କିନ୍ତୁ ଷ୍ଟ୍ରିପ୍ ବାହାରକୁ ଯାଇପାରିବେ ନାହିଁ। ତଥାପି, ଏହାର ଅର୍ଥ ଭିନ୍ନ ଭିନ୍ନ ରାଜ୍ୟରେ ଅଲଗା ରହିଥାଏ।ଉଦାହରଣ ସ୍ୱରୂପ, ତେଲେଙ୍ଗାନାର ରାସ୍ତାରେ ଥିବା ହଳଦିଆ ରଙ୍ଗ ଗରଗୁଡ଼ିକର ଅର୍ଥ ହେଉଛି ଯେ ଆପଣ ଲାଇନ ଭିତରେ ରହି ଗାଡ଼ିକୁ ଓଭର ଟେକ୍ କରିପାରିବେ ନାହିଁ।

ତେବେ ରାସ୍ତାରେ ପଡ଼ିଥିବା ଦୁଇଟି ସିଧା ହଳଦିଆ ରଙ୍ଗ ଗାରର ଅର୍ଥ ହେଉଛି ଯେ ଆପଣ ନିଜ ଲେନରେ ଚାଲନ୍ତୁ, ରେଖା ଅତିକ୍ରମ କରନ୍ତୁ ନାହିଁ। ଯଦି ଆପଣ ରାସ୍ତାରେ ଏକ ହଳଦିଆ ରଙ୍ଗର ଷ୍ଟ୍ରିପ୍ ଦେଖନ୍ତି, କିନ୍ତୁ ସେଗୁଡିକ ଖଣ୍ଡ ଖଣ୍ଡ ହୋଇ ରହିଛି, ତେବେ ବୁଝନ୍ତୁ ଯେ ଆପଣଙ୍କୁ ସେହି ଖଣ୍ଡ ଖଣ୍ଡ ହଳଦିଆ ରଙ୍ଗ ଉପର ଦେଇ ଯିବାକୁ ଅନୁମତି ରହିଛି, କିନ୍ତୁ ସତର୍କତାର ସହିତ।

ବେଳେବେଳେ ଆପଣ ଦେଖିଥିବେ ଯେ ରାସ୍ତା ମଝିରେ ଏକ ସିଧା ହଳଦିଆ ରଙ୍ଗର ଷ୍ଟ୍ରିପ୍ ସହ ଖଣ୍ଡ ଖଣ୍ଡ ହଳଦିଆ ଗାର ରହିଛି। ଏହାର ଅର୍ଥ ହେଉଛି ଯଦି ଆପଣ ଏହି ଖଣ୍ଡ ଖଣ୍ଡ ହଳଦିଆ ରଙ୍ଗର ଷ୍ଟ୍ରିପ୍ ଆଡକୁ ଗାଡ଼ି ଚଲଉଛନ୍ତି, ତେବେ ଆପଣ ଓଭର ଟେକ୍ କରିପାରିବେ। କିନ୍ତୁ ଯଦି ଆପଣ ସିଧା ହଳଦିଆ ଲାଇନରେ ଅଛନ୍ତି, ତେବେ ଆପଣଙ୍କୁ ଓଭର ଟେକ୍ କରିବାକୁ ଅନୁମତି ନାହିଁ।

Spread the love