ଆଜି ପହିଲି ରଜ
ଆଜି ପହିଲି ରଜ । ରଜ ଓଡିଆଙ୍କ ନିଜସ୍ୱ ପର୍ବ । ମିଥୁନ ସଂକ୍ରାନ୍ତିକୁ ନେଇ ଏହି ପର୍ବ ଅନୁଷ୍ଠିତ ହୁଏ । ବୃଷ ମାସର ଶେଷ ଦିନ, ମିଥୁନ ମାସର ଆରମ୍ଭ ଓ ତା ପରଦିନ – ଏହି ଦିନରେ ପାଳିତ ହୁଏ ରଜ ପର୍ବ । ଏହି ଦିନ ଗୁଡିକୁ ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ ବୋଲି କୁହାଯାଏ । ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ । ଧରଣୀ ମାତା ପ୍ରତି ସମ୍ମାନବୋଧ ଓ କୃତଜ୍ଞତା ଜ୍ଞାପନ ହିଁ ଏହି ପର୍ବ ପାଳନର ମୂଳ ଭିତି । ଏହି ସମୟରେ ବର୍ଷାର ଆଗମନ ହୁଏ ଧରଣୀ ଶସ୍ୟଗର୍ଭା ହୁଏ । ତେଣୁ ଏହା ଧରଣୀର ମାତୃତ୍ୱ କାମନା ଉତ୍ସବ ବୋଲି ମଧ୍ୟ କୁହାଯାଏ । ପରମ୍ପରା ଅନୁସାରେ ରଜରେ କୁମାରୀ କନ୍ୟାମାନଙ୍କୁ ତିନି ଦିନ ସ୍ନାନ କରିବ, ଲୁଣ ଖାଇବା ଓ ଭୂଇଁରେ ଚାଲିବା ମନା । ରଜ ପାଇଁ ଗାଁରୁ ସହର, ପଲ୍ଲୀରୁ ଦିଲ୍ଲୀ , ସବୁଠି ଉତ୍ସବର ମାହୋଲ୍ । ପିଲା, ବୁଢା ସମସ୍ତେ ପାଳୁଛନ୍ତି ଏହି ପାରମ୍ପରିକ ପର୍ବ । ବନ୍ଧୁବାନ୍ଧବରେ ଘରଦ୍ୱାର ପୁରି ଉଠିଛି । ଘରେ ଘରେ ଏବେ ପୋଡ ପିଠାର ମହକ । ପୋଡ ପିଠା, ନଡିଆ କୋରାଠୁ ଆରମ୍ଭ କରି ଜନ୍ତା ଯାଏଁ ପିଠାର ମହକରେ ଫାଟି ପଡୁଛି ଗା ଦାଣ୍ଡ ।
ରଜ ପାଳିବାକୁ ହାତରେ ମେହେନ୍ଦି , ଗୋଡରେ ଅଳତା ସହ ମୁଣ୍ଡରେ କୁଙ୍କୁମ ଲଗାଇ ସଜେଇ ହେଉଛନ୍ତି ଯୁବତୀ । ରଜକୁ ନେଇ ପିଲାଠୁ ବୁଢା ଯାଏଁ ସମସ୍ତେ ଲାଗିପଡିଛନ୍ତି । ରଜ ଦୋଳି ଖେଳ ବିନା ରଜ ଅଧୁରା । ତେଣୁ ବାଉଁସ କଟାଯାଇ ଦୋଳି ପ୍ରସ୍ତୁତି ହୋଇଛି। କେବଳ ସେତିକି ନୁହେଁ ଲୁଡୁ ସହ ତାସ୍ ଖେଳ ବି ଜମିଲାଣି । ହେଲେ ଏସବୁ ଭିତରେ ଗୋଟିଏ ଜିନିଷର ରହିଛି ରଜରେ ବେସ୍ ଚାହିଦା । ରଜ ପାନ । କଥାରେ ଅଛି ରଜ ପାନ ବିନା ରଜର ମଜ୍ଜା ଫିକା । ଆଧୁନିକତାର ସ୍ପର୍ଶରେ ଏବେ ବି ଗାଁ ଗହଳିର ଲୋକ ମାନେ ରଜ ପର୍ବକୁ ଧୁମ୍ ଧାମ୍ ପାଳନ କରିଥାନ୍ତି ।ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ ।
ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।