ସମ୍ମମରେ ହୃଦ୍ ସମସ୍ୟା ଥିବା ଶିଶୁର ସଫଳ ଅସ୍ତ୍ରୋପଚାର
ଭୁବନେଶ୍ୱର, ୭/୧୨: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହୃଦ ସମସ୍ୟାରେ ପୀଡ଼ିତ ଥିବା ୫ ମାସର ଶିଶୁ ପୁତ୍ରର ହୃଦରୋଗ ବିଶେଷଜ୍ଞ ସଫଳ ଅସ୍ତ୍ରୋପଚାର କରିଛନ୍ତି। ପେଡିଆଟ୍ରିକ୍ କାର୍ଡିଆକ୍ କ୍ୟାଥେଟର୍ ଇଂଟରଭେନ୍ସନ୍ ଦ୍ୱାରା ଶିଶୁଟି ସୁସ୍ଥ ହୋଇପାରିଛି। ନିଃଶ୍ୱାସ ନେବାରେ କଷ୍ଟଅନୁଭବ କରୁଥିବା ଶିଶୁଟିକୁ ହସ୍ପିଟାଲ୍କୁ ଚିକିତ୍ସା ନିମନ୍ତେ ଆଣିବା ସମୟରେ ତା’ର ପାଟେଂଟ ଡକ୍ଟସ ଆର୍ଟେରିଓସସ୍ (ପିଡିଏ) ନାମକ ହୃଦ ସମସ୍ୟା ଥିବା ଜଣାପଡ଼ିଥିଲା। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ହୃଦରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦିବ୍ୟରଞ୍ଜନ ବେହେରା ଶିଶୁଟିର ଚିକିତ୍ସା କରିଥିଲେ। ଡାକ୍ତର ବେହେରାଙ୍କ କହିବା ଅନୁଯାୟୀ ପିଡିଏ ହେଉଛି ମହାଧମନୀ ଏବଂ ଫୁସ୍ଫୁସ୍ର ଧମନୀକୁ ଯୋଡୁଥିବା ଏକ ଟ୍ୟୁବ୍ ଯାହାକି ଶିଶୁର ଶରୀରରେ ମୁଖ୍ୟ ରକ୍ତ ସଂଚାଳନ ବ୍ୟବସ୍ଥା ଅଟେ। ଏହି ସମସ୍ୟା ଯୋଗୁଁ ରକ୍ତ ଅଧିକାଂଶ ସମୟରେ ମହାଧମନୀରୁ ଫୁସ୍ଫୁସ୍ର ଧମନୀକୁ ହୋଇଥାଏ ଯାହା ଦ୍ୱାରା ଅଧିକ ରକ୍ତ ଫୁସ୍ଫୁସ୍କୁ ଯାଇଥାଏ। ଏହାଦ୍ୱାରା ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ହୃଦକ୍ରିୟା ବନ୍ଦ ହୋଇଯିବାର ସମ୍ଭାବନା ରହିଥାଏ। ଠିକ୍ ସମୟରେ ଚିକିତ୍ସା ନ କଲେ ଶ୍ୱାସ ଜନିତ ସମସ୍ୟାସୃଷ୍ଟି ହୋଇଥାଏ। ଆଗୁଆ ଚିକିତ୍ସା ହିଁ ଏଭଳି ବିପଜ୍ଜନକ ପରିସ୍ଥିତିକୁ ମୁକାବିଲା କରିବାର ଏକ ମାତ୍ର ଉପାୟ ଏବଂ ପିଡିଏର ଆକାର ଏବଂ ଅନ୍ୟାନ୍ୟ ଦିଗକୁ ଦେଖି ଅପରେସନ୍ କିମ୍ବା କ୍ୟାଥେଟର୍ ଇନ୍ଭେନ୍ସନ କରାଯିବା ନେଇ ନିଷ୍ପତି ନିଆଯାଇଥାଏ ବୋଲି ସେ କହିଛନ୍ତି। ଡାକ୍ତର ବେହେରା କହିଛନ୍ତି ଯେ ଶିଶୁଟିର ପିଡିଏ ଡିଭାଇସ୍ କ୍ଲୋଜର୍ ପ୍ରକ୍ର୍ରିୟା ତାଙ୍କ ନେତୃତ୍ୱରେ କରାଯାଇଥିଲା। କାର୍ଡିଆକ୍ ଟିମ୍ ସମେତ କାର୍ଡିଆକ୍ ଆନେସ୍ଥେସିଷ୍ଟ ଡାକ୍ତର ଜେ. ପରିଡା ଏବଂ କନ୍ସଲଟାଂଟ ନିଓନାଟୋଲୋଜିଷ୍ଟ ଡାକ୍ତର ବିଚିତ୍ରାନନ୍ଦ ରାଉତ ଏଥିରେ ସହଯୋଗ କରିଥିଲେ । ଶିଶୁଟି ଏହି ପ୍ରକ୍ରିୟା ହେବାର ଦୁଇ ଦିନ ପରେ ଡିସ୍ଚାର୍ଜ ହୋଇଛି ଏବଂ ସେ ସୁସ୍ଥ ଅଛିବୋଲି ଡାକ୍ତର ବେହେରା କହିଛନ୍ତି ।