ଦିଲ୍ଲୀପୋଲିସକୁ ପୁଣି ଫେରିଲେ ଛାୟା ଶର୍ମା, ୨୦୧୨ ନିର୍ଭୟାକାଣ୍ଡର ରହସ୍ୟ ଉପରୁ ହଟାଇଥିଲେ ପରଦା

ନୂଆଦିଲ୍ଲୀ ୭।୧୨:  ମହିଳା ଆଇପିଏସ   ଅଧିକାରୀ ଛାୟା ଶର୍ମା ପୁଣି ଦିଲ୍ଲୀ ପୋଲିସକୁ ଫେରିଛନ୍ତି। ୨୦୧୨ ନିର୍ଭୟା କାଣ୍ଡର ତଦନ୍ତଭାର ତତ୍କାଳୀନ  ଦକ୍ଷିଣ ଦିଲ୍ଲୀ ଡିସିପି ଛାୟା ଶର୍ମାଙ୍କ  ଉପରେ  ନ୍ୟସ୍ତଥିଲା। ଗଣବଳତ୍କାର ଓ ହତ୍ୟାକାଣ୍ଡର ରହସ୍ୟ ଉଦଘାଟନ କରିବା ଓ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବାରେ ଡିସିପି ଶର୍ମାଙ୍କ ଯୋଗଦାନ ଉଲ୍ଲେଖନୀୟ ଥିଲା। ତେବେ ପରେ ଡେପୁଟେସନରେ ଚାଲିଯାଇଥିବା ଶର୍ମା ଏଥର ଦିଲ୍ଲୀ ପୋଲିସକୁ ଜଏଣ୍ଟ କମିଶନର ପଦବୀରେ ଫେରିଥିବା ବେଳେ ତାଙ୍କୁ ଆର୍ଥିକ ଅପରାଧ ଶାଖାର ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ ୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତିରେ ବସନ୍ତ ବିହାର ଅଞ୍ଚଳରେ ହୋଇଥିବା ନିର୍ଭୟାକାଣ୍ଡ ବେଳେ ଦକ୍ଷିଣ ଦିଲ୍ଲୀ ଡିସିପି ଥିଲେ ଛାୟା ଶର୍ମା। ଏହି ମାମଲାର ତଦନ୍ତ କରି ଅପରାଧିଙ୍କ ପର୍ଯ୍ୟନ୍ତ ପହଞ୍ଚିବା, ସେମାନଙ୍କୁ ଗିରଫ କରିବା ଓ କୋର୍ଟରେ ପହଞ୍ଚାଇବା ସହ ମାମଲାର ବିଚାରରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ  ଡିସିପି ଛାୟା ଶର୍ମାଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ତେବେ ପରେ ପଦୋନ୍ନତୀ ପାଇବା ସହ ଡେପୁଟେସନରେ ଚାଲିଯାଇଥିଲେ। ପ୍ରାୟ ୭ ବର୍ଷ ପରେ ସେ ପୁଣି ଦିଲ୍ଲୀ ପୋଲିସକୁ ଫେରିଛନ୍ତି।

ବିଭାଗକୁ ଫେରିବା ପରେ ତାଙ୍କୁ ଆର୍ଥିକ ଅପରାଧ ଶାଖା ଜଏଣ୍ଟ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ଶର୍ମା ୧୯୯୯ ବ୍ୟାଚ୍‌ର ଆଇପିଏସ ଅଫିସର ହୋଇଥିବା ବେଳେ ଦିଲ୍ଲୀ ପୋଲିସରେ ତାଙ୍କର ଚାକିରୀ ଆରମ୍ଭ ହୋଇଥିଲା। ତେବେ ତାଙ୍କର ଏହି ପରିବର୍ତ୍ତନ ସହ ଦିଲ୍ଲୀ ପୋଲିସରେ ଏକ ଛୋଟ ଅଦଳବଦଳ ହୋଇଥିବା ବେଳେ ମୋଟ ୭ ଜଣ ଅଧିକାରୀ ବଦଳିଛନ୍ତି।

Spread the love