ରବର ଚାଷରେ ଦୁର୍ନୀତି: ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ନେଲେ ଅଧିକାରୀ, ଖାଲି ପଡିଛି ପଡିଆ

ବାରିପଦା ୧୪।୧୨:  ରବର ଚାଷରେ ଦୁର୍ନୀତି ଅଭିଯୋଗ, ରକ୍ଷଣା ବେକ୍ଷଣ ନାମରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ୍।  ହେଲେ ଜମିରେ କାଁ-ଭାଁ କିଛି ଗଛକୁ ଛାଡି ଦେଲେ ପଡିଛି ଖାଲି ପଡ଼ିଆ । ସେପଟେ ରବର ଗଛ ସୁରକ୍ଷା ପାଇଁ ବାଡ ମଧ୍ୟ ନାହିଁ କି ଚାଲୁନାହିଁ  ପାଣି ଦେବାପାଇଁ ହୋଇଥିବା ବୋରୱେଲ୍। ଅଭିଯୋଗ ହେଉଛି ରବର ଚାଷ ନାଁରେ ୫୮ ଲକ୍ଷ ଟଙ୍କାର ଘୋଟାଲା ହୋଇଛି।

ବାରିପଦା ବ୍ଲକ ବୁଢ଼ିଖମାରୀ ଗ୍ରାମ ପଞ୍ଚାୟତରେ ଆଇଟିଡିଏ ସହାୟତାରେ ଏଠାରେ ଚାଲିଛି ରବର ପ୍ଲାଣ୍ଟେସନର ପ୍ରକଳ୍ପ । ୭ ବର୍ଷ ତଳେ ଏହି ପ୍ରକଳ୍ପ ଆରମ୍ଭ ହୋଇଥଲା। ପ୍ରକଳ୍ପ ଖର୍ଚ୍ଚ ୮ ଲକ୍ଷ ୮୭ ହଜାର।  ଏବେ ପ୍ରକଳ୍ପର ସ୍ଥିତି ଏମିତି ଯେ କିଛି ଥୁଣ୍ଟା ଗଣ୍ଡି, କିମ୍ବା ଖାଲି ପଡ଼ିଆ। ତାହେଲେ ରବର ପ୍ଲାଣ୍ଟ ଗଲା କୁଆଡ଼େ?  ୨୦୧୪ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ୭୨ ଏକର ଲୋକଙ୍କ ଜମିରେ ରବର ଚାଷ କରାଯାଇଥିଲା।  ପରବର୍ତ୍ତୀ ସମୟରେ ୧୮ ଏକର ବଢାଇ ସମୁଦାୟ ୧୦୦ ଏକର ଜମିରେ ଚାଷ ମଧ୍ୟ କରାଗଲା।   ୭ ବର୍ଷ ବିତିଗଲାଣି,  ଏବେ ଗୋଟେ ଅଧେ ଗଛକୁ ଛାଡ଼ି ଖାଲି ପଡ଼ିଆ ପଡିଛି।  ବାଡ ମଧ୍ୟ ଭାଙ୍ଗି ଗଲାଣି ଏଵଂ ପାଣି ଯୋଗାଇବାକୁ ଥିବା ୬ଟି ବୋରୱେଲ ବି ଥୁଣ୍ଟା ଗଛଗଣ୍ଡି ଭଳି ପଡ଼ିଛି। ଏଣେ କିନ୍ତୁ ବର୍ଷକୁ ବର୍ଷ  ରକ୍ଷଣାବେକ୍ଷଣ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଆସୁଛି।

୨୦୧୩ ରୁ ୨୦୧୭ ମଧ୍ୟରେ ଉଦ୍ୟାନକୃଷି ଭିଭାଗ ଅଧିନରେ ମନରେଗା କାର୍ଯ୍ୟକ୍ରମରେ ୫୦୦ କୋଟି ଟଙ୍କାର ଯୋଜନା କାରାଯାଇଥିଲା। ସେ ମଧ୍ୟରେ ଆମ୍ବ, ପିଜୁଳି, କୋଳି ଓ ରବର ସହିତ ଅନ୍ୟାନ୍ୟ ଫଳ ଚାଷ କରି ଚାଷୀ ଙ୍କୁ ଆତ୍ମନିର୍ଭର କରିବାର ଲକ୍ଷ୍ୟ ଥିଲା। ହେଲେ ସେଥିରୁ ଅନ୍ୟୁନ୍ୟ ୨୦୦ କୋଟି ରୁ ଅଧିକ ଟଙ୍କାର ଉଦ୍ୟାନ ଏବେ ଗାୟବ ହୋଇଯାଇଥିବା ସ୍ଥାନୀୟ ଲୋକେ କହୁଛନ୍ତି । କିଛିଦିନ ତଳେ ମୟୂରଭଞ୍ଜ ଆଇ.ଟି.ଡି.ଏ.ର ସହକାରୀ ଯନ୍ତ୍ରୀ ଙ୍କ ଘରେ ଭିଜଲାନ୍ସ ଚଢାଉ କରିଥିଲା।  କୋଟିକୋଟି ଟଙ୍କା ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଛି।  ଏଥିରେ ଜଣା ପଡୁଛି ଏହି ବିଭାଗରେ କିଭଳି ଦୁର୍ନୀତି ଚାଲିଥିଲା ।  ଏହି ଅଭିଯୋଗ ନେଇ ଅମେ ଆଇ.ଟି.ଡି.ଏ. ପ୍ରକଳ୍ପ ପ୍ରଶାସକ ଙ୍କୁ ଅବଗତ କରିଥିଲୁ । ତେବେ ଏ ସମ୍ଵନ୍ଧରେ ସେ ଜାଣି ନାହାଁନ୍ତି ବୋଲି କହିଥିବା ବେଳେ ଏହାର ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି।

ଆଦିବାସୀଙ୍କ ଆର୍ଥିକ ଉନ୍ନତି ଲାଗି ରାଜ୍ୟ ସରକାର ଯୋଜନା ତ କରୁଛନ୍ତି,। ହେଲେ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରୀତା ଓ ସଫଳ ରୂପାୟନ ଦାୟିତ୍ବରେ ଥିବା ଦୂର୍ନୀତଖୋର ଅଧିକାରୀ ଙ୍କ ଲାଗି ସମ୍ପୂର୍ଣ୍ଣ ଯୋଜନା ହିଁ ବାଟବଣା ହୋଇ ଯାଉଛି।

Spread the love