CDS ବିମାନ ଦୁର୍ଘଟଣାରେ ଆହତ ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହଙ୍କ ନିଧନ

ସିଡିଏସ ଜେନରାଲ ବିପିନ ରାୱତଙ୍କ ଚପର ଦୁର୍ଘଟଣାର ଏକ ମାତ୍ର ଜୀବିତ ଉଦ୍ଧାର ହୋଇଥିବା ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହଙ୍କର ବୁଧବାର ନିଧନ ହୋଇଯାଇଛି । ଭାରତୀୟ ବାୟୁସେନା ପକ୍ଷରୁ ଏନେଇ ଟ୍ବିଟ୍ ଜରିଆରେ ସୂଚନା ଦିଆଯାଇଛି । ବାୟୁସେନାର ଆଧିକାରିକ ଟ୍ବିଟର ଆକାଉଣ୍ଟରେ କୁହାଯାଇଛି ଯେ, ଆମେ ଗଭୀର ଦୁଃଖର ସହିତ ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହଙ୍କ ନିଧନ ଖବର ଦେଉଛୁ । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ତାମିଲନାଡୁର କୁନ୍ନୁରରେ ଡିସେମ୍ବର ୮ ତାରିଖ ଦିନ ହୋଇଥିବା ଦୁର୍ଘଟଣାରେ ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହ ଏକମାତ୍ର ଜୀବିତ ଉଦ୍ଧାର ହୋଇଥିଲେ ।

ଉଦ୍ଧାର ପରେ ବେଙ୍ଗଳୁରୁରେ ତାଙ୍କୁ ଚିକିତ୍ସା ଚାଲିଥିଲା । ବିମାନ ଦୁର୍ଘଟଣାରେ ଗୁରୁତର ଆହତ ବରୁଣଙ୍କୁ ବେଙ୍ଗାଳୁରୁକୁ ଏୟାରଲିଫ୍ଟ କରାଯାଇଥିଲା । ହାଲୁକା ଲଢୁଆ ବିମାନ ବା ଏଲସିଏର ଦକ୍ଷ ପାଇଲଟ ବରୁଣ ଗତବର୍ଷ ଅକ୍ବୋବର 12 ତାରିଖରେ ଏକ ବଡ ଦୁର୍ଘଟଣାରୁ ଅତି ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଯାଇଥିଲେ । ସାହସିକତା ଲାଗି ତାଙ୍କୁ ଶୌର୍ଯ୍ୟ ଚକ୍ର ଉପାଧିରେ ଭୂଷିତ କରାଯାଇଥିଲା । ପୂର୍ବରୁ ଏହି ବିମାନ ଦୁର୍ଘଟଣାରେ ସିଡିଏସ ବିପିନ ରାଓ୍ବତ, ତାଙ୍କ ପତ୍ନୀ ଏବଂ ୧୧ ଜଣ ବୀର ଯବାନ ସହିଦ ହୋଇଥିଲେ ।

ଉତ୍ତର ପ୍ରଦେଶର ବାସିନ୍ଦା

ଉତ୍ତର ପ୍ରଦେଶର ଖୋରମା କହ୍ନୋଲି ଗ୍ରାମ ହେଉଛି ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂହଙ୍କ ଘର । ତାଙ୍କର ଚିକିତ୍ସା ୱେଲିଂଟନ୍ ହସ୍ପିଟାଲରେ ଚାଲିଥିଲା । ଗ୍ରୁପ୍ କ୍ୟାପ୍ଟେନ୍ ଅଭିନନ୍ଦନ ବର୍ଥମାନ ହେଉଛନ୍ତି ତାଙ୍କ ବ୍ୟାଚମେଟ୍ । ଅଭିନନ୍ଦନ ବର୍ଥମାନଙ୍କ ବିମାନକୁ ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକିସ୍ତାନୀ ବାୟୁସେନା ଗୁଳି କରି ଖସାଇଥିଲା ।

ପିତା ମଧ୍ୟ ସେନାରେ ଥିଲେ

ବରୁଣଙ୍କ ପିତା ମଧ୍ୟ ସେନାରେ ସାମିଲ ଥିଲେ । ସେ କର୍ଣ୍ଣଲ ପଦରୁ ଅବସର ନେଇଥିଲେ । ଦେହାନ୍ତ ବେଳକୁ ଗ୍ରୁପ୍ କ୍ୟାପ୍ଟେନ ବରୁଣଙ୍କୁ ମାତ୍ର ୪୨ ବର୍ଷ ହୋଇଥିଲା ।

Spread the love