ରାଜ୍ୟରେ କମିଛି ଯୌନ ଶୋଷଣ, ସହର ଅପେକ୍ଷା ଗାଁରେ ବିବାହିତ ମହିଳାଙ୍କ ପ୍ରତି ବଢିଛି ଅତ୍ୟାଚାର

ଭୁବନେଶ୍ଵର ୨୦।୧୨: ରାଜ୍ୟରେ କମିଛି ମହିଳାଙ୍କ ପ୍ରତି ଯୌନ ଶୋଷଣ । ଜାତୀୟ ହାର ତୁଳନାରେ ରାଜ୍ୟର ହାର ୧୮ରୁ ୨୯ ବର୍ଷୀୟ ମହିଳାଙ୍କ କ୍ଷେତ୍ରରେ ଯୌନ ଶୋଷଣ କମ ରହିଛି। କିନ୍ତୁ ବିବାହିତା ମହିଳାଙ୍କ କ୍ଷେତ୍ରରେ ଓଲଟା ଚିତ୍ର ସାମ୍ନାକୁ ଆସିଛି। ସହରାଞ୍ଚଳ ଠାରୁ ଗାଁରେ ବିବାହିତା ମହିଳାଙ୍କ କ୍ଷେତ୍ରରେ ଶାରୀରିକ ନିର୍ଯାତନା ଅଧିକ ରହିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣରୁ ଏହି ରିପୋର୍ଟ ଆସ୍ବସ୍ତି ଆଣିଥିବା ବେଳେ ଗ୍ରାମାଞ୍ଚଳ ସ୍ଥିତ ଚିନ୍ତାର ବିଷୟ ହୋଇଛି।

ରାଜ୍ୟରେ କମିଛି ଯୌନ ଶୋଷଣ । ୫ ବର୍ଷରେ କମିଛି ୬୦ ପ୍ରତିଶତ। ଜାତୀୟ ହାର ତୁଳନାରେ ରାଜ୍ୟରେ ଯୌନ ଶୋଷଣ ହାର କମ ରହିଛି। ରାଜ୍ୟରେ  ମହିଳାମାନଙ୍କ କ୍ଷେତ୍ରରେ ନିର୍ଯାତନା ଓ ହିଂସା ବଢ଼ୁଥିବା ନେଇ ଜାତୀୟ ଅପରାଧ ରେକର୍ଡ (ଏନସିଆରବି) ପକ୍ଷରୁ ଗତ ସେପ୍ଟେମ୍ବରରେ ତଥ୍ୟ ପ୍ରକାଶ ପାଇଥିଲା। ନଭେମ୍ବର ୨୪ରେ ଭାରତ ସରକାରଙ୍କ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନଏଚଏଫଏସ-୫) ଦେଇଛି ଭିନ୍ନଚିତ୍ର।  ଏନଏଚଏଫଏସ-୫ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୧୮ରୁ ୨୯ ବର୍ଷୀୟା ଯୁବତୀମାନଙ୍କ ଉପରେ ପୂର୍ବ ବର୍ଷମାନଙ୍କ ତୁଳନାରେ ଯୌନ ଉତ୍ପୀଡ଼ନ କମିଛି। ଏମିତିକି ୧୮ରୁ ୨୯ବର୍ଷ ବୟସ୍କ ମହିଳାଙ୍କ କ୍ଷେତ୍ରରେ ଯୌନ ଉତ୍ପୀଡନରେ ଓଡ଼ିଶାର ଚିତ୍ର ଜାତୀୟସ୍ତର ଅପେକ୍ଷା ବହୁତ ଭଲ ରହିଛି।

ଓଡ଼ିଶାରେ ମହିଳାଙ୍କ ପ୍ରତି ଯୌନ ଶୋଷଣ କମୁଛି। ସେପଟେ ବିଶେଷଜ୍ଞମାନଙ୍କ ମତ ଅଧିକରୁ ଅଧିକ ସଂଖ୍ୟକ ମହିଳା ନିର୍ଯାତନା ବିରୋଧରେ ସ୍ବର ଉଠାଇବାର ଆବଶ୍ୟକତା ରହିଛି। କାରଣ ନିରବତା ଦ୍ବାରା ଅନେକ ସମୟରେ ଘଟଣା ସାମ୍ନାକୁ ଆସିପାରେନା। ତେବେ ଯୌନ ଶୋଷଣ କମିବା ଆଉ ଏକ କଥା ମଧ୍ୟ ସୂଚନା ଦେଉଛି ଯେ ଦୁର୍ବୃତ୍ତମାନଙ୍କର ଦଣ୍ଡବ୍ୟବସ୍ଥା ପ୍ରତି ଭୟ ବଢ଼ିଛି।

ଅପରପକ୍ଷରେ ଓଡିଶାରେ ବିବାହିତ ମହିଳାଙ୍କ ପ୍ରତି ଶାରିରୀକ ହିଂସା ବଢ଼ିଛି। ସହର ଅପେକ୍ଷା ଗାଁରେ ବିବାହିତ ମହିଳାଙ୍କ କ୍ଷେତ୍ରରେ ଶାରିରୀକ ହିଂସା ଅଧିକ। ଜାତୀୟସ୍ତରରେ ଏହା ୩.୧ ପ୍ରତିଶତ ଥିବା ବେଳେ ରାଜ୍ୟରେ ୩.୫ ପ୍ରତିଶତ ରହିଛି। ରାଜ୍ୟରେ ସହରାଞ୍ଚଳରେ ୨.୧ ପ୍ରତିଶତ ବିବାହିତ ମହିଳା ଶାରୀରିକ ହିଂସାର ଶିକାର ହେଉଥିବାବେଳେ ଗ୍ରାମାଞ୍ଚଳରେ ଏହି ହାର ୩.୮ ପ୍ରତିଶତ ରହିଛି। ୨୦୧୫-୧୬ରେ ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ୩.୨ ପ୍ରତିଶତ ଥିଲା। ୨୦୧୯-୨୦ରେ ହୋଇଥିବା ସର୍ବେକ୍ଷଣରେ ଏହି ହାର ୩.୫କୁ ବୃଦ୍ଧି ପାଇଛି। ବିବାହିତ ମହିଳାଙ୍କୁ ଶାରୀରିକ ହିଂସା ୩.୯ରୁ ୩.୧ପ୍ରତିଶତକୁ ଖସିଛି। ଲକଡାଉ ଯୋଗୁଁ ମହିଳାମାନଙ୍କ ଉପରେ ନିର୍ଯାତନା ବଢ଼ିଥିବା ସାମାଜିକ କର୍ମୀମାନେ ପ୍ରକାଶ କରିଛନ୍ତି। 

ମହିଳାଙ୍କ କ୍ଷେତ୍ରରେ ହିଂସା ଓ ଯୌନ ଶୋଷଣ କମାଇବା ପାଇଁ ରାଜ୍ୟ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଥାନାରେ ସ୍ବତନ୍ତ୍ର ମହିଳା ଡେସ୍କ ଖୋଲାଯାଇଛି। ଯୌନ ଶୋଷଣ ଅଭିଯୋଗ ଆସିଲେ ତୁରନ୍ତ ଫଇସଲା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଯେଉଁଥିପାଇଁ ରାଜ୍ୟରେ ମହିଳାଙ୍କ କ୍ଷେତ୍ରରେ ଯୌନ ଶୋଷଣ କମିଛି।ହେଲେ ବିବାହିତ ମହିଳାଙ୍କୁ ହେଉଥିବା ଶାରୀରିକ ନିର୍ଯାତନା ପ୍ରତି ଏବେ ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ପଡ଼ିଲାଣି । ଯାହାକି ଏହି ତଥ୍ୟ ସତର୍କ କରାଇଦେଇଛି।

Spread the love