ଗୋଶାଳା ନାମରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ, କଲେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ନୀଳଗିରି ୨୨/୧୨: ନୀଳଗିରି ଅଞ୍ଚଳରେ ଏକ ଗୋଶାଳା କାଗଜ କଲମରେ ଚାଲିଛି। ନା ଅଛି ଭିତ୍ତିଭୂମି ନା କରାଯାଉଛି ଗୋସେବା। ବେଆଇନ ଚାଲାଣ ହେଉଥିବା ଗୋରୁ ଧରିବା ପରେ ଗୋଶାଳାରେ ରଖିବା ପରେ ଗୋରୁ କୁଆଡେ ଯାଉଛନ୍ତି ପତ୍ତା ନାହିଁ। ଏଭଳି ଅଭିଯୋଗ ଆଣିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ। ନୀଳଗିରି ଥାନା ଅଧିନ ଧୋବଶିଳା ଅଂଚଳରେ ମା ଭାରତୀ ଗୋ ଅଭୟାରଣ୍ୟ ଗୋଶାଳା ରହିଛି।

ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳରୁ ଗୋରୁ ଧରାଯାଇ ଏଠାରେ ଜିମା ଆକାରରେ ରହିଥାଏ। ହେଲେ ଏହି ଗୋଶାଳା କୌଣସି ସ୍ୱୀକୃତି ପ୍ରାପ୍ତ ହୋଇନଥିବାରୁ ଏଠାରେ କିପରି ପୋଲିସ ଗୋରୁ ଜିମା ଦେଇଛି ଓ ଗୋରୁ କୁଆଡେ ଗଲେ ବୋଲି ପ୍ରଶ୍ନ ଉଠିଛି। ଏଭଳି ଅଭିଯୋଗ ଉଠାଇଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ। ସୂଚନା ଅଧିକାର ତଥ୍ୟ ମଗାଇ ମା ଭାରତୀ ଗୋ ସେବା କେନ୍ଦ୍ର ବାମପଦାରେ ଗୋଟିଏ ଓ ତାର ଶାଖା ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତ ଅଧିନ ବୁଲଡଙ୍ଗ ମୌଜା ମା ଭାରତୀ ଗୋସେବା କେନ୍ଦ୍ର ଥିବା ସୂଚନା ପାଇଥିଲେ।

ବର୍ଷକୁ ଏଠାକୁ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଥିବା ବେଳେ ବଦାନ୍ୟ ବ୍ୟକ୍ତି ମାନେ ମଧ୍ୟ ଅର୍ଥ ପ୍ରଦାନ କରିଥାନ୍ତି। ହେଲେ ମା ଭାରତୀ ଗୋ ଅଭୟାରଣ୍ୟ ଗୋଶାଳା କିପରି ଖୋଲାଗଲା ଓ ପ୍ରକୃତ ମାଲିକ କିଏ , ରାଜ୍ୟସରକାରଙ୍କ ଦ୍ଵାରା ସ୍ୱୀକୃତି ନପାଇ ଗୋରୁ ରଖିବାକୁ ଅନୁମତି ଦେଲା କିଏ ,ଗୋରୁ ଗଲେ କୁଆଡେ ଏଭଳି ଅନେକ ପ୍ରଶ୍ନ ଉଠାଇବା ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ଶ୍ରୀ ଷଡ଼ଙ୍ଗୀ। ତଦନ୍ତ ହେଲେ ଏକ ବିରାଟ ରାକେଟର ପର୍ଦ୍ଦାଫାସ ହୋଇପାରିବ ବୋଲି କହିଛନ୍ତି।

Spread the love