ବ୍ରାହ୍ମଣ ନେତାମାନଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ; ନିର୍ବାଚନ ଜିତିବା ପାଇଁ ଜାତୀୟ ସମୀକରଣ ଉପରେ ମାନସ ମନ୍ଥନ

ନୂଆଦିଲ୍ଲୀ ୨୬/୧୨  :  ବିଜେପିର ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ତାଙ୍କ ଦିଲ୍ଲୀ ସ୍ଥିତ ଘରେ ଉତ୍ତରପ୍ରଦେଶରେ ଥିବା ଦଳର ବ୍ରାହ୍ମଣ ନେତାମାନଙ୍କ ସହିତ ଗଭୀର ବିଚାର ବିମର୍ଷ କରିଛନ୍ତି। ରାଜ୍ୟରେ ଜାତୀୟ ସମୀକରଣ ବିଜେପି ସପକ୍ଷରେ ତିଆରି କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା ବୋଲି ସୂତ୍ରରୁ ଜଣା ପଡ଼ିଛି।    

ତିନି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଉତ୍ତରପ୍ରଦେଶର ସମସ୍ତ ବ୍ରାହ୍ମଣ ନେତା ସାମିଲ ହୋଇଥିଲେ। ଏଥିରେ ଜିତିନ ପ୍ରସାଦ, ରମାପତି ତ୍ରିପାଠୀ, ଅନେକ ବିଜେପି ସାଂସଦ, ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା, ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ଓ ବୃଜେଶ ପାଠକ ସାମିଲ ହୋଇଥିଲେ। ଏହି ବୈଠକରେ ବ୍ରାହ୍ମଣ ସମୁଦାୟରେ ଦଳର ବିସ୍ତାର ଓ ଦଳକୁ ମଜବୁତ କରିବାର ଗତିବିଧି ଉପରେ ସୁଦୀର୍ଘ ଆଲୋଚନା କରାଯାଇଥିଲା ବୋଲି ସୂତ୍ରରୁ ଜଣା ପଡ଼ିଛି। ବୈଠକ ପରେ ଉପ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ସାମ୍ବାଦିକମାନଙ୍କୁ କହିଛନ୍ତି “ସମାଜର କୌଣସି ଜାତି କିମ୍ବା ବର୍ଗ ବିଜେପି ପ୍ରତି ନାରାଜ ନାହାନ୍ତି। ଉତ୍ତରପ୍ରଦେଶର ବିଜେପି ସରକାରରେ ଅନେକ ବ୍ରାହ୍ମଣ ମନ୍ତ୍ରୀ ଅଛନ୍ତି। ଦଳ ସମାଜରେ ଥିବା ସମସ୍ତ ଶ୍ରେଣୀର ବିକାଶ ପାଇଁ କାର୍ଯ୍ୟ କରୁଛି”। କେନ୍ଦ୍ରମନ୍ତ୍ରୀ ଦଳର ନେତାମାନଙ୍କ ସହ ବିଭିନ୍ନ ମୁଦ୍ଦାନେଇ ଆଲୋଚନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଆସନ୍ତା ନିର୍ବାଚନକୁ ନେଇ ନେତାମାନଙ୍କ ଠାରୁ ପ୍ରତିକ୍ରିୟା ମଧ୍ୟ ନେଇଛନ୍ତି।        

Spread the love