ସୂତକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାବା ବିଶ୍ୱନାଥଙ୍କ ପୂଜା କରାଇ ଦେଇଛନ୍ତି ପୂଜକ, ଯାଞ୍ଚ ନିର୍ଦ୍ଦେଶ

ବାରଣାସୀ ୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଡିସେମ୍ବର ୧୩ ତାରିଖ ଦିନ କାଶୀବିଶ୍ୱନାଥ କରିଡୋରର ଲୋକାର୍ପଣ କରିଥିଲେ। ଏହି ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥଙ୍କ ଜଳାଭିଷେକ କରିଥିଲେ। ମନ୍ଦିରର ମୁଖ୍ୟ ପୂଜକ ଶ୍ରୀକାନ୍ତ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ହସ୍ତରେ ପୂଜା ସମ୍ପନ୍ନ କରିଥିଲେ। ହେଲେ ଏବେ ଏହି କରିଡରର ଉଦଘାଟନ ଉପରେ ପ୍ରଶ୍ନ ଉଠିବାରେ ଲାଗିଲାଣି। କୁହାଯାଉଛି ସୂତକ କାଳରେ ପ୍ରଧାନମନ୍ତ୍ରୀଙ୍କ ହାତରେ ବିଶ୍ୱନାଥଙ୍କ ପୂଜା କରାଇ ଦିଆଯାଇଛି। ଏବେ ଅଭିଯୋଗକୁ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ତେବେ ସୂତକ କାଳରେ ପୂଜା କରାଯାଇଥିବା ନେଇ ମନ୍ଦିରର ପୂର୍ବ ନ୍ୟାସୀ ପ୍ରଦୀପ ବଜାଜ ଅଭିଯୋଗ କରିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ ଓ ଉତ୍ତରପ୍ରଦେଶ ଧର୍ମାଥ କାର୍ଯ୍ୟ ବିଭାଗର ମୁଖ୍ୟ ଶାସନ ସଚିବ  ଅବନୀଶ କୁମାର ଅବସ୍ଥିଙ୍କୁ ଇ-ମେଲ କରି ଏହା ସୂଚିତ କରିଛନ୍ତି। ଏଥିରେ ମୁଖ୍ୟ ପୂଜକ ଶ୍ରୀକାନ୍ତ ମିଶ୍ର ସୂତକରେ ଥାଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହାତରେ ବିଶ୍ୱନାଥଙ୍କ ପୂଜା କରାଇ ଦେଇଥିବାର ଅଭିଯୋଗ କରିଛନ୍ତି।

ଘଟଣା ଜଣାପଡିବା ପରେ ମନ୍ଦିର ପ୍ରଶାସନ ଛାନିଆ ହୋଇଯାଇଥିବା ବେଳେ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୁରା ପ୍ରକରଣରେ ଧର୍ମାର୍ଥକାର୍ଯ୍ୟ ମନ୍ତ୍ରୀ ନୀଳକଣ୍ଠ ତିୱାରୀ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ତଲବ କରିଛନ୍ତି। ଏଥିରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାମଲାର ତଦନ୍ତ ଦାୟିତ୍ୱ ଅପରମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଦେଇଥିବାର ସୂଚିତ କରିଛନ୍ତି।

ସୂତକ କଣ ?
ପରିବାରରେ କେହି ସଦସ୍ୟଙ୍କ ବିୟୋଗ ହେଲେ ସାରା ପରିବାର ଉପରେ ସୂତକ ଲାଗି ଥାଏ। ଏଥିରେ ଘରେ ଅଥବା ଦେବାଳୟରେ ନିଜେ ଅଥବା କାହା ଦ୍ୱାର ପୂଜାର୍ଚ୍ଚନା ବର୍ଜିତ। ଡିସେମ୍ବର ୫ ତାରିଖ ଦିନ ମୁଖ୍ୟ ପୂଜାରୀ ଶ୍ରୀକାନ୍ତ ମିଶ୍ରଙ୍କ ପୁତୁରାଙ୍କ ବିୟୋଗ ହୋଇଥିଲା। ଏଣୁ ତାଙ୍କ ପରିବାରରେ ସୂତକ ଲାଗିଥିବା ବେଳେ ମିଶ୍ର ମନ୍ଦିର ପରିସରକୁ ବି ଆସିବାର ନଥିଲା। ହେଲେ ସେ ମନ୍ଦିରକୁ ଆସିବା ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଶ୍ୱନାଥଙ୍କୁ ଜଳାଭିଷେକ ମଧ୍ୟ କରାଇଛନ୍ତି।

Spread the love