ଭାରତ-ଦ. ଆଫ୍ରିକା ଟେଷ୍ଟ Day-1 : ଲୋକେସ ରାହୁଲଙ୍କ ଦମଦାର ଶତକ, ଖାତା ଖୋଲି ପାରିଲେନି ପୁଜାରା

ସେଞ୍ଚୁରିୟନ ୨୬/୧୨ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଠାରୁ ସେଞ୍ଚରିୟନ ଷ୍ଟାଡିୟମରେ ଆରମ୍ଭ ହୋଇଛି ବକ୍ସିଂ ଡେ ଟେଷ୍ଟ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଲୋକେସ ରାହୁଲଙ୍କ ଦମଦାର ଅପରାଜିତ ଶତକ ବଳରେ ପ୍ରଥମ ଦିନଖେଳ ଶେଷ ସୁଦ୍ଧା ଦୃଢ ସ୍ଥିତିରେ ରହିଛି ଭାରତୀୟ ଦଳ ।

ଓପନିଂ ବ୍ୟାଟିଂ ଆସିଥିବା ଲୋକେସ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲ ଚମତ୍କାର ଆରମ୍ଭ କରିଥିଲେ । ଦୁହେଁ ବିନା ଓ୍ବିକେଟରେ ଶତକୀୟ ଇନିଂସ ଖେଳିଛନ୍ତି । ପ୍ରଥମ ଓ୍ବିକେଟ ପାର୍ଟନରସିପ୍‌ରେ ମୟଙ୍କ-ରାହୁଲ ଯୋଡି ୧୪୭ ରନ କରିଥିଲେ । ମୟଙ୍କ ଅଗ୍ରଓ୍ବାଲ ବ୍ୟକ୍ତିଗତ ଭାବେ ୬୦ ରନକରି ଆଉଟ ହୋଇଛନ୍ତି । ଚେତେଶ୍ବର ପୁଜାରା ପୁଣି ଫେଲ ମାରିଛନ୍ତି । ଦକ୍ଷିଣ ଆଫ୍ରିକା ସିରିଜ୍‌ ତାଙ୍କ ପାଇଁ କର ବା ମର ପରିସ୍ଥିତି ସୃଷ୍ଟିକରିଥିବା ବେଳେ ସେ ପ୍ରଥମ ଇନିଂସରେ ଖାତା ଖୋଲିବା ପୂର୍ବରୁ ହିଁ ପ୍ୟାଭିଲିୟନ ଫେରିଛନ୍ତି । ଅଧିନାୟକ ବିରାଟ କୋହଲି ବଡ ସ୍କୋର କରିବାକୁ ଦୀର୍ଘଦିନ ହେଲା ସଂଘର୍ଷ କରୁଥିଲେ ସୁଦ୍ଧା ପ୍ରଥମ ଇନିଂସରେ ଫେଲ୍‌ ମାରିଛନ୍ତି । ଅବଶ୍ୟ ୩୫ରନର ଇପଯୋଗୀ ଇନିଂସ ଖେଳିଛନ୍ତି ତଥାପି ଏହାକୁ ବଡ ସ୍କୋରରେ ପରିଣତ କରିପାରିନାହାନ୍ତି । ଫର୍ମ ପାଇଁ ସଂଘର୍ଷ କରୁଥିବା ରାହାଣେ ଲୟକୁ ଫେରିଛନ୍ତି । ଲୋକେସ ରାହୁଲ ୨୪୮ ବଲ ଖେଳି ୧୭ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୨୨ରନ କରି ଅପରାଜିତ ଥିବାବେଳେ ଅଜିଙ୍କ୍ୟ ରାହାଣେ ୪୦ରନ କରି ଅପରାଜିତ ଅଛନ୍ତି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ଏକମାତ୍ର ବୋଲର ଭାବେ ସଫଳତା ପାଇଛନ୍ତି । ପ୍ରଥମ ଦିନରେ ଏନ୍‌ଗିଡି ୧୭ ଓଭର ବୋଲିଂକରି ୪୫ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ ଅନ୍ୟମାନେ ସିଫଳତା ପାଇପାରିନାହାନ୍ତି । ରାବାଡା ୨୦ ଓଭରରେ ୫୧ରନ, ମାର୍କୋ ଜନ୍‌ସେନ୍‌ ୧୭ ଓଭରରେ ୬୧ରନ, ଓ୍ବିଆନ୍‌ ମଲଡର୍‌ ୧୮ଓଭରରେ ୪୯ରନ ଏବଂ କେଶବ ମହାରାଜ ୧୮ଓଭର ବୋଲିଂ କରି ୫୮ରନ ଦେଇଛନ୍ତି ।

Spread the love