ତିନିଦିନ ବନ୍ଦ ରହିବ ଶ୍ରୀମନ୍ଦିର, ବର୍ଷର ଶେଷ ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ, ୩୦/୧୨: ସଂସ୍କୃତି ଓ ପର୍ଯ୍ୟଟନର ସହର ଶ୍ରୀକ୍ଷେତ୍ରରେ ଚଳିତବର୍ଷ ନୂଆବର୍ଷ ପାଳନ ଫିକା ପଡିବ। ବର୍ଷର ପ୍ରଥମ ଦିନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଓ ଆଶିଷ ଭିକ୍ଷା କରିଥାନ୍ତି ସମଗ୍ର ଦେଶରୁ ଆସିଥିବା ଶ୍ରଦ୍ଧାଳୁ। କିନ୍ତୁ ଓମିକ୍ରନ୍ ମୁକାବିଲା ପାଇଁ ଆସନ୍ତାକାଲି ଠାରୁ ତିନିଦିନ ଧରି ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହୁଥିବାରୁ ସମସ୍ତଙ୍କ ମନରେ ଦୁଃଖ। ସେପଟେ ଜିରୋ ନାଇଟ ସେଲିବ୍ରେସନ ଉପରେ ମଧ୍ୟ କଟକଣା ଲାଗିଥିବା ବେଳେ ପର୍ଯ୍ୟଟକମାନେ ବେଳାଭୂମିର ମଜା ନେବା ସହ ଓଟ, ଘୋଡା, ଦୋଳିରେ ବସି ମଜା ଉଠାଉଛନ୍ତି।

ଅତ୍ୟଧିକ ଜନସମାଗମକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ଛତିଶା ଓ ପରିଚାଳନା କମିଟି ବୈଠକରେ ଯଥେଷ୍ଟ ପୂର୍ବରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଏହି ବର୍ଷ ପାଇଁ ଆଜି ହେଉଛି ଶେଷ ଦର୍ଶନ। ତେଣୁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଛି। ତେବେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ୟାୟ ଟୀକାକରଣ ରିପୋର୍ଟ ମଧ୍ୟରୁ ଯେକୌଣସି ଗୋଟିଏ ବାଧ୍ୟତାମୂଳକ କରାଯାଇଥିଲେ ହେଁ ଏହି ବର୍ଷର ଶେଷ ଦିନ ଓ ନୂଆବର୍ଷର ପ୍ରଥମ ଦିନରେ ଅତ୍ୟଧିକ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୩୧  ଓ ଜାନୁଆରୀ ୧ ସହ ୨ ତାରିଖ ରବିବାର ଥିବାରୁ ଲଗାତାର ୩ ଦିନ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ ।

Spread the love