ବଜାରରେ ପରିବା ଦର ଆକାଶ ଛୁଆଁ

ଅନିୟମିତ ଯୋଗାଣ ଏବଂ ସ୍ୱାଭାବିକଠାରୁ ଅଧିକ ବର୍ଷା ପରିବା ବଜାରର ସ୍ଥିତି ବେହାଲ କରିଛି। ସହରର ପ୍ରାୟ ସମସ୍ତ ବଜାରରେ ପରିବା ଦରରେ 50% ବୃଦ୍ଧି ଘଟିଛି। ଫଳରେ ମହଙ୍ଗା ମାଡ଼ ସିଧା ପରିବା ବ୍ୟାଗ୍‌ ଉପରେ ପଡ଼ିଛି।ରବିବାର ବାଇଗଣ ଦର କିଲୋ ପ୍ରତି 60 ଟଙ୍କା ରହିଥିଲା। ଗତ ସପ୍ତାହରେ ଏହା 25 ରୁ 30 ଟଙ୍କା ରହିଥିଲା। ପୋଟଳ ଏବଂ ଜହ୍ନିରେ ମଧ୍ୟ ସେହିଭଳି ଦରବୃଦ୍ଧି ହୋଇଛି। ଗତ ସପ୍ତାହରେ ବିନ୍ସର ଦର କିଲୋ ପ୍ରତି 75 ଟଙ୍କା ରହିଥିଲା, ଯାହାକି ବର୍ତ୍ତମାନ 100 ଟଙ୍କାରେ ପହଞ୍ଚିସାରିଛି।ରୋଷେଇ ଘରେ ବେଶି ଦରକାର ହେଉଥିବା ଅନ୍ୟ ଏକ ପରିବା ହେଉଛି ଟମାଟୋ। ଭଲ କ୍ୱାଲିଟିର ଟମାଟୋର କିଲୋ ପିଛା ଦର 40 ରୁ 50 ଟଙ୍କା ରହୁଛି। ଗତ ସପ୍ତାହରେ ଏହାର କିଲୋ ପ୍ରତି ଦର 25 ରୁ 30 ଟଙ୍କା ରହିଥିଲା। ସବୁ ତରକାରୀରେ ଟମାଟୋ ଦରକାର ହେଉଥିବାରୁ ଏହାର ଦର ଆକାଶଛୁଆଁ ହେବା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି।ପିଆଜ ଦର ଗତ ଏକ ସପ୍ତାହରେ 4 ଟଙ୍କା ବଢ଼ିଛି। ତେବେ ମୌସୁମୀ ସମୟରେ ପରିବା ଦର ବଢ଼ିବା ସ୍ୱାଭାବିକ ହୋଇଥିବାବେଳେ ଆଗକୁ ବର୍ଷାର ପରିମାଣ ଆହୁରି ଅଧିକ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବାରୁ ଦର ଲଗାମଛଡ଼ା ହେବାର ଆଶଙ୍କା ରହିଛି। ଏତଦ୍‌ବ୍ୟତୀତ ନୂଆ ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହୋଇଥିବା ଅତିରିକ୍ତ ଶୁଳ୍କ ଯୋଗୁ ପରିବା ଦର ଉପରେ ଏହାର ପ୍ରଭାବ ମଧ୍ୟ ଅନୁଭୂତ ହେବ ବୋଲି କୁହାଯାଉଛି।

Spread the love