କେରଳ ନନ ଦୁଷ୍କର୍ମ ମାମଲାରେ ଆସିଲା ଅଦାଲତଙ୍କ ରାୟ, ବିଶଫ ଫାଙ୍କ୍ରୋ ମୁଲକ୍କଲ ନିର୍ଦ୍ଦୋଷରେ ଖଲାସ

ତିରୁଅନନ୍ତପୁରମ ୧୪।୦୧: କେରଳ ଏକ ଅଦାଲତ ଶୁକ୍ରବାର ନନ ଦୁଷ୍କର୍ମ ମାମଲାରେ କ୍ୟାଥୋଲିକ ବିଶପ ଫ୍ରାଙ୍କୋ ମୁଲକ୍କଲଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି। କୋଟ୍ଟାୟମର ଅତିରିକ୍ତ ଜିଲ୍ଲା ଅଦାଲତର ବିଚାରପତି ଜି.ଗୋପାକୁମାର ଫ୍ରାଙ୍କୋଙ୍କୁ ଏହି ରାୟ ଶୁଣାଇଛନ୍ତି। ଶୁଣାଣି ଦୀର୍ଘ ୧୦୫ ଦିନ ପର୍ଯ୍ୟନ୍ତ ଚାଲିଥିଲା ଏବଂ ୩୯ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଏଥିସହ ୧୨୨ ଦସ୍ତାବିଜ ଅଦାଲତରେ ଉପସ୍ଥାପନ କରାଯାଇଥିଲା।

ରୋମାନ କ୍ୟାଥୋଲିକ୍ ଚର୍ଚ୍ଚର ଜଳନ୍ଧର ଡିୟୋସିସ୍‌ର ବିଶପ ଭାବେ ସେବା କରିବା ସମୟରେ ଜଣେ ନନ ତାଙ୍କ ବିରୋଧରେ ଦୁଷ୍କର୍ମ  ଅଭିଯୋଗ ଆଣିଥିଲେ। ୨୦୧୪ ଏବଂ ୨୦୧୬ ମଧ୍ୟରେ ତାଙ୍କ ବିରୋଧରେ ୪୩ ବର୍ଷୀୟ ନନଙ୍କ ସହିତ ୧୩ଟି ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପରେ ତାଙ୍କୁ  ଜଳନ୍ଧର ଡିଓସିସ୍‌ର ପ୍ରଭାରୀ ଦାୟିତ୍ଵରୁ ହଟାଯାଇଥିଲା।

ତାଙ୍କ ବିରୋଧରେ ୨୦୧୮ ଜୁନରେ କେରଳରେ ଅଭିଯୋଗ ହୋଇଥିଲା। ମୁଲକ୍କଲଙ୍କୁ ୨୦୧୮ ଡିସେମ୍ବରରେ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଥିଲା। ୨୦୧୯ ଅକ୍ଟୋବର ୧୬ରେ ଜାମିନ ମିଳିଥିଲା। ଚାର୍ଜସିଟ୍‌ରେ ୮୩ ସାକ୍ଷୀଙ୍କ ନାମ ରହିଛି। ଫ୍ରାଙ୍କୋ ନିଜ ବିରୋଧରେ ରୁଜୁ ଏଫଆଇଆର ରଦ୍ଦ କରିବାକୁ କେରଳ ଉଚ୍ଚ ନ୍ୟାୟାଳୟ  ଏବଂ ସର୍ବୋଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ। ମାତ୍ର ଦୁଇ ଅଦାଲତ ତାଙ୍କ ଆବେଦନ ଅଗ୍ରାହ୍ୟ କରିଥିଲେ। ଏହା ପରେ ମୋକଦ୍ଦମା ଆରମ୍ଭ ହୋଇଥିଲା।

Spread the love